ଭୁବନେଶ୍ବର: ଗତକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳ ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି। ବଲାଙ୍ଗୀର, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଯାଜପୁର, ଭଦ୍ରକ, ଖୋର୍ଦ୍ଧା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଆସନ୍ତାକାଲି(୩୦ ତାରିଖ) ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏଣୁ ଏହି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନେ ୩ ଦିନ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବା ପାଇଁ କେନ୍ଦ୍ର ପରାମର୍ଶ ଦେଇଛି। ୧ ତାରିଖ ଦିନ ବର୍ଷା ହେବା ସମ୍ଭାବନା ଥିଲେ ମଧ୍ୟ କୌଣସି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇ ନାହିଁ।

Advertisment

ଗତ ରାତିରେ ଅନୁଗୁଳରେ ସର୍ବାଧିକ ୧୦୯ ମିମି ବର୍ଷା ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ନୟାଗଡ଼ର ଭାପୁରରେ ସର୍ବାଧିକ ୧୭୫.୩ ମିମି ବର୍ଷା ହୋଇଛି। ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ବାରିପଦାରେ ୨୫.୬, ବଲାଙ୍ଗୀରରେ ୧୨.୫, ବାଲେଶ୍ବରରେ ୮.୬, ମାଲକାନଗିରିରେ ୯.୮, ନୂଆପଡ଼ାରେ ୮ମିମି ବର୍ଷା ରେକର୍ଡ କରାଯାଇଛି। ସନ୍ଧ୍ୟାରେ ଭୁବନେଶ୍ବରରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ପାଣିପାଗ କେନ୍ଦ୍ରର ହିସାବ ମୁତାବକ, ମୌସୁମୀ ଆସିବା ପର ଠାରୁ ଏ ଯାବତ୍‌ ସ୍ବାଭାବିକ ବର୍ଷା ୨୦୧.୪ ମିମି ରେକର୍ଡ ହେବା କଥା, କିନ୍ତୁ ଏହି ସମୟ ମଧ୍ୟରେ ୧୪୧.୩ ମିମି ବର୍ଷା ହୋଇଛି। ଅର୍ଥାତ୍‌ ୩୦% ଅଭାବୀ ବର୍ଷା ହୋଇଛି।