ସୃଷ୍ଟିହେଲା ଲଘୁଚାପ: ୧୮ରୁ ୨୦ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ; ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଉତ୍ତର-ପୂର୍ବ ଏବଂ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର ବଙ୍ଗଳାଦେଶ ଏବଂ ମିଆଁମାର ଉପକୂଳରେ ଆଜି ପ୍ରତ୍ୟୁଷ (୧୮ ଅଗଷ୍ଟ, ଗୁରୁବାର) ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ସକ୍ରିୟ ରହିଛି। ଏହା ଆଗାମୀ ୬ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ସୁଦୃଶଃ-ଲଘୁଚାପ ଏବଂ ପରବର୍ତୀ ୨୪ ଘଣ୍ଟା ମଧ୍ୟରେ (ଶୁକ୍ରବାର, ସକାଳ ୮ଟା ସୁଦ୍ଧା) ଅବପାତରେ ପରିଣତ ହେବା ସହ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବ।

ଏହାର ପ୍ରଭାବରେ ଆଜିଠାରୁ (୧୮ ଅଗଷ୍ଟ ଗୁରୁବାରରୁ) ରାଜ୍ୟରେ ବର୍ଷାର ବିସ୍ତୃତି ଆରମ୍ଭ ହେବ। ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ କିଛି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି ହୋଇଛି। ୧୯ ଅଗଷ୍ଟ ଶୁକ୍ରବାରରେ ରାଜ୍ୟ ଉପରେ ଲଘୁଚାପର ସର୍ବାଧିକ ପ୍ରଭାବ ପଡ଼ିବ ଏବଂ ଉପକୁଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିପାଇଁ ଅରେଞ୍ଜ ଚେତାବନୀ ଜାରି କରାଯାଇଛି। ସେହିପରି ୨୦ ଅଗଷ୍ଟ ଶନିବାରରେ ପଶ୍ଚିମ ଓଡି଼ଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

ଦିନ-୧ (୧୯ ଅଗଷ୍ଟ ସକାଳ ୦୮୩୦ ଘଣ୍ଟା ପର୍ଯ୍ୟନ୍ତ ବୈଧ): ହଳଦିଆ ଚେତାବନୀ (ୟେଲୋ ଓ୍ଵାର୍ଣ୍ଣିଂ)
ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଏବଂ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଦିନ-୨ (୧୯ ଅଗଷ୍ଟ ସକାଳ ୦୮୩୦ରୁ ୨୦ ଅଗଷ୍ଟ ସକାଳ ୦୮୩୦ ଘଣ୍ଟା ପର୍ଯ୍ୟନ୍ତ ବୈଧ) ଲାଲ ଚେତାବନୀ (ରେଡ୍‌ ଓ୍ଵାର୍ଣ୍ଣିଂ)
କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳରୁ ଅତି ପ୍ରବଳ ବର୍ଷା (୨୦ ସେମି)ରୁ ଅଧିକ ଏବଂ ଆଉ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେମି) ହେବାର ସମ୍ଭାବନା ରହିଛି।
କମଳା ଚେତାବନୀ (ଅରେଞ୍ଜ ଓ୍ଵାର୍ଣ୍ଣିଂ)
କେନ୍ଦ୍ରପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଯାଜପୁର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ହଳଦିଆ ଚେତାବନୀ (ୟେଲୋ ଓ୍ଵାର୍ଣ୍ଣିଂ)
ଝାରସୁଗୁଡା, ବରଗଡ, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୧ ସେମି) ହେବାର ସମ୍ଭାବନା ରହିଛି।

ଦିନ-୩ (୨୦ ଅଗଷ୍ଟ ଶନିବାର ସକାଳ ୦୮୩୦ ଘଣ୍ଟାରୁ ୨୧ ଅଗଷ୍ଟ ସକାଳ ୦୮୩୦ ଘଣ୍ଟା ପର୍ଯ୍ୟନ୍ତ ବୈଧ)
କମଳା ଚେତାବନୀ (ଅରେଞ୍ଜ ଓ୍ଵାର୍ଣ୍ଣିଂ)
ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ, ସମ୍ବଲପୁର, ବରଗଡ, ସୋନପୁର ଏବଂ ବଲାଙ୍ଗୀର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ରୁ ୨୦ ସେମି) ହେବାର ସମ୍ଭାବନା ରହିଛି।
ହଳଦିଆ ଚେତାବନୀ (ୟେଲୋ ଓ୍ଵାର୍ଣ୍ଣିଂ)

ମୟୂରଭଂଜ, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର ଏବଂ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୧ ସେମି) ହେବାର ସମ୍ଭାବନା ରହିଛି।

ଏଥିସହ ରାଜ୍ୟର ଉପକୂଳରେ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଘଣ୍ଟାପ୍ରତି ୪୫ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଏହି ସମୟ ମଧ୍ୟରେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ସମ୍ବନ୍ଧିତ ଖବର