ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ ବଳୟ; ନେଇପାରେ ସାମୁଦ୍ରିକ ଝଡ଼ର ରୂପ

ଭୁବନେଶ୍ୱର: ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାକ୍ରମେ ଅଧିକ ଘନୀଭୂତ ହୋଇ ଏକ ଘୂର୍ଣ୍ଣିବଳୟ ଓ ପରେ ଏକ ସାମୁଦ୍ରିକ ଝଡ଼ର ରୂପ ନେବାର ଆଶଙ୍କା ରହିଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ଲଘୁଚାପ ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବାପରେ ୧୫ ତାରିଖ ବେଳକୁ ସମୁଦ୍ର ମଧ୍ୟରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବ। ଏହା ୧୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ବିଭିନ୍ନ ଦିଗକୁ ନିଜର ଗତିପଥ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି।
ତେବେ, ଏହି ସମୁଦ୍ରିକ ଝଡ଼ ଦୁର୍ବଳ ହୋଇ ସମୁଦ୍ର ମଧ୍ୟରେ ବିଲୀନ ହେବ ନା ଉପକୂଳ ଦେଇ ସ୍ଥଳଭାଗକୁ ଅତିକ୍ରମ କରିବ ସେଥିନେଇ ଏବେଠାରୁ ପୂର୍ବାନୁମାନ କରିବା ଅସମ୍ଭବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ। ତେବେ, ଏହି ଲଘୁଚାପ ଓ ସାମୁଦ୍ରିକ ଝଡ଼ର ପ୍ରଭାବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ଅଧିକ ସକ୍ରିୟ କରିବା ସହ ପକ୍ଷିଣ ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପପୁଞ୍ଜରେ ମେ ୧୬ ତାରିଖ ସୁଦ୍ଧା ପ୍ରବଳ ବର୍ଷା କରାଇବାର ସମ୍ଭାବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗ।

ସମ୍ବନ୍ଧିତ ଖବର