ଭୁବନେଶ୍ବର: ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହେବା ସହ ୨୪ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।
ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୨୧ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୪ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହୋଇ ଅଧିକ ଘନୀଭୂତ ହୋଇପାରେ। ପ୍ରାଥମିକ ଆକଳନ ଅନୁଯାୟୀ ଆନ୍ଧ୍ର ଉପକୂଳମୁହାଁ ହେବାର ସମ୍ଭାବନା ରହିଛି। ତେବେ ଆନ୍ଧ୍ର ଉପକୂଳ ଛୁଇଁଲେ ମଧ୍ୟ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ। ୨୭ ତାରିଖରେ କେନ୍ଦ୍ରାପଡ଼ାରୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମେଘୁଆ ପାଗ ସହ ବର୍ଷା ହେବ। ୨୮ ତାରିଖରେ ଉତ୍ତର-ପଶ୍ଚିମ ଓଡ଼ିଶା ବ୍ୟତୀତ ରାଜ୍ୟର ଆଉ କିଛି ଅଞ୍ଚଳରେ ବର୍ଷା ସହ ୨୯ ତାରିଖରେ ଗଞ୍ଜାମ ଓ ଗଜପତି ଜିଲ୍ଲା ପ୍ରଭାବିତ ହୋଇପାରେ।
ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ। ଗୁରୁବାର ରାତି ସୁଦ୍ଧା ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ବୃଦ୍ଧି ପାଇ ୨୫ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ୨୬ ତାରିଖ ରାତିରେ ବିଭିନ୍ନ ସ୍ଥାନରେ ୨ରୁ ୪ ଡିଗ୍ରି ପୁଣି ବଢ଼ିବ ଏବଂ ଶୀତ କମିବ। ଅନ୍ୟପକ୍ଷରେ ରାଜ୍ୟରେ ଶୀତ ଲହରି ସାମାନ୍ୟ କମିଛି। ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୧ ଡିଗ୍ରି ରେକର୍ଡ ହୋଇଛି। କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ୭.୭, ଦାରିଙ୍ଗବାଡ଼ିରେ ୮.୫, ଫୁଲବାଣୀରେ ୯, ଅନୁଗୁଳରେ ୧୦.୬, ଭବାନୀପାଟଣା ଓ ନବରଙ୍ଗପୁରରେ ୧୧, ଚିପିଲିମାରେ ୧୧.୨, ଝାରସୁଗୁଡ଼ାରେ ୧୧.୬, କୋରାପୁଟରେ ୧୨ ଡିଗ୍ରି ରହିଥିଲା। କଟକ ସହରର ତାପମାତ୍ରା ୧୪.୪ ଓ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୫.୨ ଡିଗ୍ରି ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)