ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ୧୬ରେ ପାଲଟିବ ସାମୁଦ୍ରିକ ଝଡ଼: ୧୮ ଓ ୧୯ରେ ରାଜ୍ୟର ଦକ୍ଷିଣ ଓ ଉତ୍ତର ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ବହିବ ପବନ

ନୂଆଦିଲ୍ଲୀ/ ଭୁବନେଶ୍ୱର: ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଆଜି ପୂର୍ବାହ୍ନରେ ‘େଓ୍ଵଲ- ମାର୍କଡ୍‌ ଲୋ- ପ୍ରେସର’ରେ ରୂପାନ୍ତରିତ ହୋଇଛି। ଏହାକ୍ରମେ ଅଧିକ ଘନୀଭୂତ ହୋଇ ଏକ ଘୂର୍ଣ୍ଣିବଳୟ ଓ ପରେ ଏକ ସାମୁଦ୍ରିକ ଝଡ଼ର ରୂପ ନେବାର ଆଶଙ୍କା ରହିଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗର ସାଇକ୍ଲୋନ୍‌ ଓ୍ଵାର୍ଣ୍ଣିଂ ସେଣ୍ଟର।

ଏହି ଲଘୁଚାପ ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବାପରେ ୧୫ ତାରିଖ ବେଳକୁ ସମୁଦ୍ର ମଧ୍ୟରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତି କରିବ। ଏହା ୧୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ବିଭିନ୍ନ ଦିଗକୁ ନିଜର ଗତିପଥ ପରିବର୍ତ୍ତନ କରି ଶେଷରେ ଉତ୍ତର- ଉତ୍ତରପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ୧୭ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ସାମୁଦ୍ରିକ ଝଡ଼ଟି ଏହି ଦିଗରେ ଗତିଶୀଳ ହୋଇରହିବ।

IMD

ତେବେ, ଏହି ସମୁଦ୍ରିକ ଝଡ଼ଟି କେଉଁଠାରେ ଉପକୂଳ ଦେଇ ସ୍ଥଳଭାଗକୁ ଅତିକ୍ରମ କରିବ ସେଥିନେଇ ଏବେଠାରୁ କୌଣସି ପ୍ରକାରର ପୂର୍ବାନୁମାନ କରିବା ଅସମ୍ଭବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗର ସାଇକ୍ଲୋନ୍‌ ଓ୍ଵାର୍ଣ୍ଣିଂ ସେଣ୍ଟର। ହେଲେ, ସାମୁଦ୍ରିକ ଝଡ଼ର ପ୍ରଭାବ ଓଡ଼ିଶା ଉପକୂଳରେ ପଡ଼ିବ। ୧୮ ତାରିଖରେ ଏହି ସାମୁଦ୍ରିକ ଝଡ଼ ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳ ସମେତ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ୧୯ ତାରିଖରେ ଉତ୍ତର ଉପକୂଳ ସମେତ ପଶ୍ଚିମବଙ୍ଗ ଉପକୂଳରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବ ବୋଲି ସତର୍କ କରାଇଛି ଭାରତୀୟ ପାଣିପାଗ ବିଭାଗର ସାଇକ୍ଲୋନ୍‌ ଓ୍ଵାର୍ଣ୍ଣିଂ ସେଣ୍ଟର। ଏଥିସହ ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଦୃଷ୍ଟିରୁ ଏହି ସମୟ ମଧ୍ୟରେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦେଇଛି।

ଏଥିସହ ଏହି ଲଘୁଚାପ ଓ ସାମୁଦ୍ରିକ ଝଡ଼ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ପକ୍ଷିଣ ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପପୁଞ୍ଜରେ ମେ ୧୫ ତାରିଖ ଠାରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗର ସାଇକ୍ଲୋନ୍‌ ଓ୍ଵାର୍ଣ୍ଣିଂ ସେଣ୍ଟର।

ସମ୍ବନ୍ଧିତ ଖବର