ଭୁବନେଶ୍ବର: ଆସୁଛି ବଡ଼ ବର୍ଷା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହି ଦୁର୍ବଳ ହୋଇଛି। ସେପଟେ ଆଉ ଏକ ଘୂର୍ଣ୍ଣିବଳୟ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି। ଏହା ପଶ୍ଚିମ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ଗୁରୁବାର ରାତି ସୁଦ୍ଧା ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଲଘୁଚାପ ଅଧିକ ବଳ ଗୋଟାଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳର ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ଶୁକ୍ରବାର ଅବପାତର ରୂପ ନେବ। ପରିଣାମରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତିପ୍ରବଳ ବର୍ଷା ସହ ଦକ୍ଷିଣ ଓଡ଼ିଶା ଅନ୍ତର୍ଗତ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି।  

Advertisment

କୋରାପୁଟ ଓ ମାଲକାନଗିରିରେ ଅତିପ୍ରବଳ ବର୍ଷା
ପ୍ରସ୍ତୁତ ରହିବାକୁ କହିଲେ ଏସ୍‌ଆର୍‌ସି

ଏପଟେ ଏସ୍‌ଆର୍‌ସି ଆଜି ଏକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୧୮ ଜିଲ୍ଲା ଯଥା ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ନୂଆପଡ଼ା ଜିଲ୍ଲାପାଳମାନଙ୍କ ସହ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଆଲୋଚନା କରିଛନ୍ତି। ସତର୍କତାମୂଳକ ପଦକ୍ଷେପସ୍ବରୂପ ବିଶେଷ ଭାବେ ପ୍ରଭାବିତ ହେବାକୁ ଥିବା କୋରାପୁଟ ଓ ମାଲକାନଗିରି ସହ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ କର୍ମକ୍ଷେତ୍ରରେ ରହି ସ୍ଥିତି ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ପ୍ରବେଶ ପାଇଁ ବାରଣ କରାଯାଇଛି।