ଭୁବନେଶ୍ବର : ଆସନ୍ତା ୨୧ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ମାଲକାନଗିରି, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ ଓ ଗଂଜାମ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାଛଡ଼ା ନୂଆପଡ଼ା, ନବରଙ୍ଗପୁର, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଏହିସବୁ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି। କନ୍ଧମାଳ ଜିଲ୍ଲା ରାଇକିଆରେ ସର୍ବାଧିକ ୨୪.୨ ମିମି ବର୍ଷା ହୋଇଥିବା ବେଳେ ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ ୨୩.୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
ଅପରପକ୍ଷରେ ଗତ ଜୁନ୍ ୧ରୁ ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର ବିଶ୍ବାସ କହିଛନ୍ତି। ତାଙ୍କ ସୂଚନା ମୁତାବକ, ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୩୯୩.୩ ମିମି ବର୍ଷା ହେବା କଥା। ମାତ୍ର ୨୫ ପ୍ରତିଶତ କମ୍ ଅର୍ଥାତ ୨୯୩.୮ ମିମି ବର୍ଷା ହୋଇଛି। ରାଜ୍ୟରେ ୧୯ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଭଦ୍ରକରେ ସ୍ବାଭାବିକ ଭାବେ ୩୪୮.୭ ମିମି ବର୍ଷା ହେବା ସ୍ଥଳରେ ସବୁଠାରୁ କମ୍ ୧୪୯ ମିମି ବର୍ଷା ହୋଇଛି। ଯାହାକି ୫୭% କମ୍। ବଲାଙ୍ଗିର, ଗଜପତି, ଯାଜପୁର ଓ କେନ୍ଦୁଝରରେ ୪୦% କମ୍ ବର୍ଷା ହୋଇଛି। ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକରେ ୪୦%ରୁ କମ୍ ନିଅଣ୍ଟିଆ ବର୍ଷା ହୋଇଛି ବୋଲି ଶ୍ରୀ ବିଶ୍ବାସ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/rain-aaaddd.jpg)