ଭୁବନେଶ୍ବର: ୨୯ ତାରିଖ ସକାଳ ସାଢ଼େ ୫ଟା ସୁଦ୍ଧା ପଶ୍ଚିମବଙ୍ଗ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଯାଇଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ମୟୂରଭଞ୍ଜ, ଯାଜପୁର, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷିଛି। ଅବଶିଷ୍ଟ ଓଡ଼ିଶା‌ରେ ମଧ୍ୟ କାଁ ଭାଁ ବର୍ଷା ହୋଇଛି। ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ‌କେନ୍ଦ୍ର ପକ୍ଷରୁ କୁହାଯାଇଛି।

Advertisment

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ। ଏଣୁ ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ଭଦ୍ରକ, କଟକ, ଯାଜପୁର, ପୁରୀ, ଅନୁଗୁଳ, ଦେବଗଡ଼, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବଲାଙ୍ଗୀର, ବୌଦ୍ଧ, ବରଗଡ଼, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼ ଓ ଖୋର୍ଧା ଜିଲ୍ଲାରେ ପ୍ରବଳ ବର୍ଷାକୁ ନଜରରେ ରଖି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହିଭଳି ଆସନ୍ତା ୨ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଲଘୁଚାପ ପ୍ରଭାବରେ ଆସନ୍ତା ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। ଅଗଷ୍ଟ ୧ ଓ ୨ ତାରିଖରେ ଅତ୍ୟଧିକ ବର୍ଷା ହୋଇପାରେ। ଆଜି ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଓ ଅନ୍ୟାନ୍ୟ ଅଞ୍ଚଳର କେତେକ ସ୍ଥାନରେ ସ୍ବଳ୍ପ ବର୍ଷା ହେଇଛି। ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ଆଜିଠାରୁ ଅଗଷ୍ଟ ୪ ପର୍ଯ୍ୟନ୍ତ, ଦକ୍ଷିଣ ଆଭ୍ୟନ୍ତରରେ ଅଗଷ୍ଟ ୩ ପର୍ଯ୍ୟନ୍ତ, କେନ୍ଦ୍ରୀୟ ଓଡ଼ିଶାରେ ୩୦ ରୁ ୩ ତାରିଖ ପର୍ଯ୍ୟନ୍ତ ଓ ଦକ୍ଷିଣ ଉପକୂଳରେ ୨ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ।

ଆସନ୍ତା ୬ ଦିନ ଭିତରେ ସବୁଠାରୁ ଅଧିକ ବର୍ଷା ସମ୍ବଲପୁର, ଦେବଗଡ଼, ବୌଦ୍ଧ, କନ୍ଧମାଳ, ବରଗଡ଼, ଢେଙ୍କାନାଳ, ଅନୁଗୁଳରେ ହେବା ସମ୍ଭାବନା ଅଧିକ। କିଛି ସ୍ଥାନରେ ୨୦୦ ମିମିରୁ ଅଧିକ ବର୍ଷା ହୋଇପାରେ। ସେହିଭଳି ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସବୁଠାରୁ କମ୍‌ ବର୍ଷା ହୋଇପାରେ। ଏହି ୩ ଜିଲ୍ଲାରେ ୧୦୦ ମିମି ବର୍ଷା ହେବ ଓ ଅବଶିଷ୍ଟ ସ୍ଥାନରେ ହାରାହାରି ୧୨୦ରୁ ୧୫୦ ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ବରରେ ୩୧ ତାରିଖରୁ ଅଗଷ୍ଟ ୨ ଓ ଦକ୍ଷିଣ ଆଭ୍ୟନ୍ତର, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ଅଗଷ୍ଟ ୧ରୁ ୩ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଅତ୍ୟଧିକ ବର୍ଷାର ସମ୍ଭାବନା ଥିବାରୁ ଆସନ୍ତା ୩ ବା ୪ ପର୍ଯ୍ୟନ୍ତ ଫସଲ ବୁଣାବୁଣି ଓ ରୋଇବା ସ୍ଥଗିତ ରଖିବାକୁ ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି।