ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । କେତେକ ଅଞ୍ଚଳରେ କମରୁ ମଧ୍ୟମ ବର୍ଷା ହେଉଥିବାବେଳେ ଅନ୍ୟ କିଛି ସ୍ଥାନରେ ଲଗାତାର ପ୍ରବଳ ବର୍ଷା ଜାରି ରହିଛି। ତେବେ ଟ୍ୱିନ୍ ସିଟି କଟକ ଏବଂ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି ।

Advertisment

ଗୁରୁବାର ବର୍ଷାର ପରିମାଣ ବୃଦ୍ଧି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ଉତ୍ତର ଓଡ଼ିଶାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଶୁକ୍ରବାରଠାରୁ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ପାଣିପାଗ ବିଭାଗ କହିଛି । ବର୍ଷା ସାଙ୍ଗକୁ ବଜ୍ରପାତ ଏବଂ ଘଡ଼ଘଡ଼ି ହେବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ଏହି ସମୟରେ ସତର୍କ ରହିବାକୁ ସୂଚନା ଦିଆଯାଇଛି । 

ପାଣିପାଗ ବିଭାଗ ପକ୍ଷରୁ ପୁରୀ, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ଆଦି ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୪ଟି ଜିଲ୍ଲାରେ ବର୍ଷାର ପରିମାଣ ଖୁବ ଅଧିକ ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି ।

 ଗୁରୁବାର ପ୍ରବଳ ବର୍ଷା ନେଇ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେସବୁ ଜିଲ୍ଲା ମଧ୍ୟରେ ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ ଏବଂ ଗଜପତିରେ ପ୍ରବଳ ବର୍ଷା ହେବା ନେଇ ଆନୁମାନ କରାଯାଇଛି।

ସେହିପରି କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୁରଭଞ୍ଜ, ଝାରସୁଗୁଡ଼ା ଏବଂ ରାୟଗଡ଼ା ଆଦି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହିସବୁ ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।