ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ସକ୍ରିୟ ହେବ ମୌସୁମୀ

ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ସାଇକ୍ଲୋନିକ ସର୍କୁଲେସନ ଆଜି ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହି ଲଘୁଚାପ ଆସନ୍ତା ଦୁଇଦିନରେ ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ।  ଏହାର ପ୍ରଭାବରେ ଆସନ୍ତା ୧୯ ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ମଧ୍ୟ ଏହି ଲଘୁଚାପ ସୃଷ୍ଟି ହେବା ସମ୍ପର୍କରେ ସୂଚନା ଦେଇଛି । ସ୍କାଏମେଟ କହିଛି ଯେ ଏହି ଲଘୁଚାପ ଆସନ୍ତା କାଲି ସୁଦ୍ଧା ଓଡ଼ିଶା ଉପକୂଳ ଅତିକ୍ରମ କରିବ ଓ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଆଡ଼କୁ ଯିବ । ଏହି ଲଘୁଚାପର ପ୍ରଭାବ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଓ ଗୁଜୁରାଟ ଉପରେ ମଧ୍ୟ ପଡ଼ିବ । ଏହା ଫଳରେ ଏସବୁ ରାଜ୍ୟଗୁଡ଼ିକରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ପ୍ରଭାବରେ ଦେଶରେ ନିଷ୍କ୍ରିୟ ହୋଇଯାଇଥିବା ମୌସୁମୀ ପୁଣି ସକ୍ରିୟ ହେବ ବୋଲି ସ୍କାଏମେଟ୍ କହିଛି ।

ସମ୍ବନ୍ଧିତ ଖବର