ଭୁବନେଶ୍ୱର : ଗତକାଲି ଉତ୍ତର ବଙ୍ଗୋପ ସାଗରର ଆଖପାଖରେ ଥିବା ଘୂର୍ଣ୍ଣିବଳୟ ଦିନକ ଭିତରେ ଲଘୁଚାପରୁ ଅବପାତରେ ପରିଣତ ହେବା ସହିତ ଅଧିକ ଘନୀଭୂତ ହୋଇଛି। ଏହା ଡିପ୍ ଡିପ୍ରେସନ୍ରେ ପରିଣତ ହୋଇଛି। ତେବେ ସମୁଦ୍ରରୁ ସ୍ଥଳଭାଗକୁ ଗତି କରିଥିବାରୁ ଏହା ଦୁର୍ବଳ ହୋଇପଡ଼ିଛି। ସେଥିଲାଗି ଏହା ବାତ୍ୟା ରୂପ ନେବା ସମ୍ଭାବନା କ୍ଷୀଣ। ଏହା ସତ୍ତ୍ୱେ ଉପକୂଳବର୍ତୀ ଅଞ୍ଚଳରେ ପବନର ବେଗ ଅଧିକ ରହିଥିବାରୁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ପାରାଦୀପ ଏବଂ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି।
ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)ର ଭୁବନେଶ୍ୱର କେନ୍ଦ୍ର ସୂଚନା ଅନୁଯାୟୀ ଲଘୁଚାପ ଅବପାତରେ ପରିଣତ ହୋଇଥିଲା। ପରେ ଏହା ଡିପ୍ ଡିପ୍ରେସନ୍ରେ ପରିଣତ ହେବା ପରେ ପଶ୍ଚିମବଙ୍ଗର ଗାଙ୍ଗେୟ ଅବବାହିକାକୁ ଗତି କରିଛି। ଏହା ବାଲେଶ୍ୱରଠାରୁ ୧୯୫ କି.ମି. ଦୂରରେ ଅଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ଅବପାତଟି ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ ଝାଡ଼ଖଣ୍ଡ ଏବଂ ବିହାର ଆଡ଼କୁ ଗତି କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏହି ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ।
ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ସେହିପରି ସୋନପୁର, ବୌଦ୍ଧ, ବରଗଡ଼, ବଲାଙ୍ଗୀର ଆଦି ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଅନ୍ୟ ସ୍ଥାନମାନଙ୍କରେ ଘଡ଼ଘଡ଼ି ସହିତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଧିକ। ବର୍ଷା ବ୍ୟତୀତ ଉପକୂଳବର୍ତୀ ଅଞ୍ଚଳରେ ଘଣ୍ଟାକୁ ୪୫ରୁ ସର୍ବାଧିକ ୬୫ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହାକୁ ଭିତ୍ତକରି ସତର୍କ ସୂଚନା ଜାରି କରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ।
ଅନ୍ୟପକ୍ଷରେ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ୧୩/୧୪ ତାରିଖ ପର୍ଯ୍ୟନ୍ତ କାଁ ଭାଁ ବର୍ଷା ହୋଇପାରେ। ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବାହ ପ୍ରତ୍ୟାବର୍ତନ କରିବାର ସମୟ ଉପନୀତ ହୋଇଥିବାରୁ ବର୍ତମାନର ଏଭଳି ପାଣିପାଗ ବ୍ୟବସ୍ଥା ମୌସୁମୀର ଶେଷ ସ୍ପର୍ଶ ବୋଲି ପାଣିପାଗବିତ୍ ଆକଳନ କରିଛନ୍ତି। ଦୀପ ଲିଭିବା ବେଳକୁ ଦପ୍ କରି ଜଳିଉଠିବା ଭଳି ମୌସୁମୀ ତା’ର ବିଦାୟ ବେଳାରେ ସାରା ରାଜ୍ୟକୁ ଭିଜାଉଛି ବୋଲି ପାଣିପାଗବିତ କହୁଛନ୍ତି। ଏଥିସହ ଆସନ୍ତା ୧୩ ତାରିଖ ବେଳକୁ ଆଉ ଗୋଟିଏ ଘୂର୍ଣ୍ଣିବଳୟ ମିଆଁମାର ଉପକୂଳ ନିକଟରେ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଇଛି। କିନ୍ତୁ ଓଡ଼ିଶା ଉପରେ ତା’ର ବିଶେଷ ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ।
ଗତ ୨୪ ଘଣ୍ଟା ମଧ୍ୟରେ ତାଳଚେରରେ ୯୦ ମିଲିମିଟର ବର୍ଷା ହୋଇଥିଲା। ନୂଆପଡ଼ାର ବୋଡେନ୍, ଆନନ୍ଦପୁରରେ ୫୦ ମି.ମି. ବର୍ଷା ହୋଇଥିବା ବେଳେ ଭୁବନ, ପାଲଲହଡ଼ାରେ ୪୦ ମି.ମି., କଣିହା, ନିଶ୍ଚିନ୍ତକୋଇଲି, ଆଠମଲ୍ଲିକ, ତେଲକୋଇ, ଚାନ୍ଦବାଲି, ଦେବଗଡ଼, ଯାଜପୁର, ପର୍ଜଙ୍ଗ, ଖରିଆର ଆଦି ସ୍ଥାନରେ ପ୍ରାୟ ୩୦ ମି.ମି. ବର୍ଷା ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ଭବାନୀପାଟଣାରେ ୨୯ ମି.ମି., ଭୁବନେଶ୍ୱରରେ ୧୮.୪ ମି.ମି., ବାରିପଦାରେ ୧୫ ମି.ମି. ଓ ଅନ୍ୟାନ୍ୟ ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/rain-bhubaneswar.jpg)