ଲଘୁଚାପ ପ୍ରଭାବ: ଭିଜିିବ ରାଜ୍ୟର ଅଧିକାଂଶ ଅଞ୍ଚଳ

ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଆଜି ଅପରାହ୍ଣ ୨ଟା ବେଳକୁ ଲଘୁଚାପଟି ଆନ୍ଧ୍ରପ୍ରଦେଶର ମଚ୍ଛଲିପଟ୍ଟନମ୍‌ ତଟ ଠାରୁ ୧୧୬୦ କିଲୋମିଟର ଏବଂ ଗୋପାଳପୁର ତଟ ଠାରୁ ୧୨୫୦ କିଲୋମିଟର ଦୂରରେ ରହିଛି। ଏହା କ୍ରମଶଃ ସମୁଦ୍ର ଭିତରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବା ସହ ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ‘ଡିପ୍‌ ଡିପ୍ରେସନ୍‌’ରେ ରୂପାନ୍ତରିତ ହୋଇ ୮ ତାରିଖ ସନ୍ଧ୍ୟା ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଲଘୁଚାପଟି ଆନ୍ଧ୍ର ଉପକୂଳ ଅତିକ୍ରମ କଲାବେଳକୁ ଦୁର୍ବଳ ହୋଇ ପଡ଼ିଥିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏକ ବୁଲେଟିନ୍‌ରେ କୁହାଯାଇଛି।

ତେବେ, ଓଡ଼ିଶା ଉପରେ ଲଘୁଚାପର କୌଣସି ସିଧାସଳଖ ପ୍ରଭାବ ପଡ଼ିବାର ସମ୍ଭାବନା ନଥିଲେ ସୁଦ୍ଧା ଏହାର ପ୍ରଭାବରେ ସମଗ୍ର ରାଜ୍ୟ ଭିଜିବ। ରାଜ୍ୟରେ ୭ ତାରିଖ ରାତିରୁ ୧୧ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ଓ ପବନ ସହ ଲଗାଣ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏହି ବୁଲେଟିନ୍‌ରେ ସତର୍କ କରାଇ ଦିଆଯାଇଛି। ୭ ତାରିଖ ରାତିରୁ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହେବ। ୯ ତାରିଖରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାହେବ ଏବଂ ଉପକୂଳ ଓଡ଼ିଶାର କିଛି ଜିଲ୍ଲା ଏବଂ ବିଶେଷ କରି ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

India.com

ସେହିପରି ୧୦ ଓ ୧୧ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ସହ ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍‌ କମିଶନର ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶାର ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ପାଇଁ ସଜାଗ ରହିବାକୁ ସତର୍କ ସୂଚନା ଜାରି କରିବା ସହ ଏବେ ବିଲରେ ଅମଳ ଅପେକ୍ଷାରେ ରହିଥିବା ପାଚିଲା ଧାନ ସବୁକୁ ଯାଥାଶୀଘ୍ର କାଟି ନିରାପଦ ସ୍ଥାନରେ ମହଜୁଦ୍‌ ରଖିବା ପାଇଁ ରାଜ୍ୟର ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର