ଭୁବନେଶ୍ବର : ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୫ ତାରିଖ ଆଡ଼କୁ ଦକ୍ଷିଣ-ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏ ସଂପର୍କରେ ସୂଚନା ଦେଇଛନ୍ତି। ଏହି ଲଘୁଚାପଟି ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। କିନ୍ତୁ ତାହା ବାତ୍ୟାର ରୂପ ନେବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷେ ଓଡ଼ିଶା ଉପରେ ଏହି ଲଘୁଚାପର କୌଣସି ପ୍ରଭାବ ରହିବ ନାହିଁ। କିନ୍ତୁ ସେ ସମୟରେ ମତ୍ସ୍ୟଜୀବୀମାନଙ୍କୁ ଦକ୍ଷିଣ ବଙ୍ଗୋପସାଗରକୁ ଯିବାକୁ ବାରଣ କରାଯାଇଛି ବୋଲି ସେ କହିଛନ୍ତି।
ରାଜ୍ୟରେ ଏବେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଦକ୍ଷିଣ ଛତିଶଗଡ଼ରୁ ବାହାରି ଆରବ ସାଗର ଯାଏ ବ୍ୟାପିଥିବା ନିମ୍ନଚାପ ରେଖା ପ୍ରଭାବରେ ଏହା ଜାରି ରହିବ। ଏଥିସହ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଗୁରୁଚାପବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପର୍ଯ୍ୟାପ୍ତ ପରିମାଣର ଜଳୀୟବାଷ୍ପ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି। ଏହି ଦୁଇପ୍ରକାର ପାଣିପାଗର ନିୟାମକ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି, ଘଡ଼ଘଡ଼ିଜନିତ ବର୍ଷା ଜାରି ରହିବ।
ରବିବାର ଦିନ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପବନର ବେଗ ୪୦ରୁ ୫୦ କିମି ରହିବ ଓ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ସେହିପରି ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜୱାଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିସହ କନ୍ଧମାଳ, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ଦେବଗଡ଼ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏହି ୧୩ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋୱାର୍ଣ୍ଣିଂ ଜାରି କରିଛି। କାଳବୈଶାଖୀ ଯୋଗୁଁ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ବିଶେଷ ବଢ଼ିବାର ସମ୍ଭାବନା ନାହିଁ। ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ଆଜି ପାଗ ଆଂଶିକ ମେଘୁଆ ରହିବ। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହୋଇପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୩୯ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରି ରହିବ।