୨୩ରେ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ବର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୩ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି । ଦୁଇଦିନ ପୂର୍ବରୁ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ୨୧ ତାରିଖରେ ଏହି ଲଘୁଚାପ ସୃଷ୍ଟି ହେବ । କିନ୍ତୁ ଆଜି ପ୍ରକାଶିତ ନୂଆ ପାଣିପାଗ ବୁଲେଟିନ ଅନୁସାରେ ଏହି ଲଘୁଚାପ ୨୩ ତାରିଖରେ ସୃଷ୍ଟି ହେବ ।

କିନ୍ତୁ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି ଯେ ଏହି ଲଘୁଚାପ ଆସନ୍ତା ୨୨ ତାରିଖ ସୁଦ୍ଧା ସୃଷ୍ଟି ହୋଇଯିବ । କାରଣ ଆଜି ଅର୍ଥାତ ମଙ୍ଗଳବାରଦିନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଏହା ଘନୀଭୂତ ହୋଇ ୨୨ରେ ଲଘୁଚାପରେ ପରିଣତ ହେବ ।

ଏହାର ପ୍ରଭାବରେ ପଶ୍ଚିମବଙ୍ଗ, ଓଡ଼ିଶା ଓ ଝାଡଖଣ୍ଡରେ ଜୁଲାଇ ୨୨ରୁ ୨୭ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ପରବର୍ତ୍ତୀ ଦୁଇଦିନରେ ଏହା ପଶ୍ଚିମ ଦିଗରେ ଗତି କରିବ ଓ ଛତିଶଗଡ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା କରାଇବ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଲଘୁଚାପ ସୃଷ୍ଟି ହେବା ପରେ ଦେଶରେ ଦୁର୍ବଳ ହୋଇଯାଇଥିବା ମୌସୁମୀ ପୁଣି ସକ୍ରିୟ ହୋଇଯିବ । ଏହାର ପ୍ରଭାବରେ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଆଦି ରାଜ୍ୟରେ ବର୍ଷା ହେବ ବୋଲି ସ୍କାଏମେଟ୍ କହିଛି ।

ସମ୍ବନ୍ଧିତ ଖବର