ଭୁବନେଶ୍ବର : ଚଳିତ ମାସରେ ବଙ୍ଗୋପସାଗରରେ ନିୟମିତ ଭାବେ ଲଘୁଚାପ ସୃଷ୍ଟି ହୋଇଚାଲିଛି । ଗୋଟିଏ ଲଘୁଚାପ ଶେଷ ନ ହେଉଣୁ ଆଉ ଏକ ଲଘୁଚାପ ଆସିଯାଉଛି । ଗୁଲାବ ବାତ୍ୟା ନ ଯାଉଣୁ ଏବେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେଲାଣି ।

Advertisment

ଗତ ସପ୍ତାହରେ ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇ ଭିଏତନାମରେ ଧ୍ବଂସଲୀଳା ରଚାଇଥିବା ବାତ୍ୟା ଡିଆମୁ ଏବେ ଦୁର୍ବଳ ହୋଇ ବଙ୍ଗୋପସାଗର ଆଡ଼େ ମୁହାଁଛି । ଏହା ଦୁର୍ବଳ ହୋଇ ପ୍ରଥମେ ଏକ ଡିପ୍ରେସନ ଓ ତା’ପରେ ଏକ ଲଘୁଚାପରେ ପରିଣତ ହୋଇଛି । ଏହି ଲଘୁଚାପ ଏବେ ଉତ୍ତର-ଓଡ଼ିଶା ଓ ପଶ୍ଚିମ-ବଙ୍ଗ ଉପକୂଳ ଆଡ଼କୁ ମୁହାଁଇଛି । ଗୁଲାବ ପରି ଏକ ଶକ୍ତିଶାଳୀ ନହେଲେ ବି ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ବିଶେଷ କରି ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୩୦ ତାରିଖ ବେଳକୁ ରାଜ୍ୟର କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ତିନିଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।