ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିବର୍ତ୍ତନ ହେବାର ସମ୍ଭାବନା କମ, ତଥାପି ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାଇକ୍ଲୋନିକ ସର୍କୁଲେସନ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେବ ଓ ଭତ୍ତର-ପଶ୍ଚିମ ଦିଗରେ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଏହା ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ଥିବାରୁ ଓଡ଼ିଶା ସରକାର ଏହା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ।

ଏହି ଲଘୁଚାପ ଯୋଗୁଁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିଲାଗି ମତ୍ସ୍ୟଜୀବିମାନଙ୍କୁ ଜୁନ ୧୦ରୁ ୧୨ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏକ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ଓ ମତ୍ସଜୀବି ମାନଙ୍କୁ ସମୁଦ୍ରକୁ ନଛାଡ଼ିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏହା ସହିତ ବୃଷ୍ଟିପାତର ପରିମାଣ ସଂପର୍କରେ ରିପୋର୍ଟ କରିବାକୁ କୁହାଯାଇଛି ।

ତେବେ ଏହି ଲଘୁଚାପ ବାତ୍ୟାରେ ପରିବର୍ତ୍ତନ ହେବାର ଆଶଙ୍କା କମ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ବିଭାଗର ରିପୋର୍ଟ ଅନୁସାରେ ଆସନ୍ତା ୪୮ ଘଣ୍ଟାରେ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ଆଦୌ ନାହିଁ । ତେବେ ୪୮ରୁ ୯୬ ଘଣ୍ଟା ମଧ୍ୟରେ ଏହି ସମ୍ଭାବନା କମ ରହିଛି ବୋଲି ରିପୋର୍ଟରେ କୁହାଯାଇଛି ।

ସମ୍ବନ୍ଧିତ ଖବର