ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଓ ତତ୍‌ସଂଲଗ୍ନ ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବୁଧବାର ସନ୍ଧ୍ୟା ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଲଘୁଚାପଟି ଆସନ୍ତା ୩୬ ଘଣ୍ଟା ଭିତରେ ଉତ୍ତର ଦିଗରେ ଗତି କରି ଅଧିକ ଘନୀଭୂତ ହେବ ଓ ଅବପାତରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଉଛି। ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଏହି ସପ୍ତାହ ସାରା ଗୁଜରାଟ, ଗୋଆ, କର୍ଣ୍ଣାଟକ ଓ କେରଳ ସମେତ ପଶ୍ଚିମାଞ୍ଚଳର ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପଟେ, ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଉତ୍ତର ବ‌ଙ୍ଗୋପସାଗରରେ ୨୭ ତାରିଖ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି। 

Advertisment

୩୬ ଘଣ୍ଟାରେ ଆରବ ସାଗରରେ ଅବପାତ
ଗୁଜରାଟ, କର୍ଣ୍ଣାଟକ, ଗୋଆ ଓ କେରଳରେ ପ୍ରବଳ ବର୍ଷିବ
ଅନୁକୂଳ ହେଉଛି ପାଗ, ୨୭ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ

ଲଘୁଚାପ ଯୋଗୁଁ ଆରବ ସାଗରରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବାକୁ ପାଗ ଅନୁକୂଳ ହେଉଛି। ଫଳରେ ଆସନ୍ତା ୨ରୁ ୩ ଦିନ ଭିତରେ ମୌସୁମୀ କେରଳ ସ୍ପର୍ଶ କରିବ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆରବ ସାଗରର କିଛି ଅଂଶ, ମାଳଦ୍ୱୀପ, ଦକ୍ଷିଣ, କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି କିଛି ଅଞ୍ଚଳକୁ ଅଗ୍ରସର ହୋଇଛି। ଆଗାମୀ ଦିନରେ ଏହା ଦକ୍ଷିଣ ଆରବ ସାଗରର କିଛି ଅଂଶ, ମାଳଦ୍ୱୀପ, ଲକ୍ଷଦ୍ୱୀପ, କେରଳ, ତାମିଲନାଡୁ, ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ବଙ୍ଗୋପସାଗର ତଥା କିଛି ଉତ୍ତର-ପୂର୍ବ ରାଜ୍ୟ ସମେତ ଅବଶିଷ୍ଟ ଅଞ୍ଚଳକୁ ଅଗ୍ରସର ହେବ। 

ସେପଟେ, ସାରା ରାଜ୍ୟରେ ବୁଧବାର ରାତିଠାରୁ ମେଘୁଆ ପାଗ ଜାରି ରହିଥିବା ବେଳେ ଠାଏଁ ଠାଏଁ ବର୍ଷା ହୋଇଯାଇଛି। ଫଳରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ଯାଏଁ ଖସିଛି। ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏନେଇ ବିଭିନ୍ନ ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ଆସନ୍ତାକାଲି ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକଯାଜପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା। ପବନର ଝଟ୍‌କା ଘଣ୍ଟା ପ୍ରତି ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିବ।