୨୯ରେ ଆଣ୍ଡାମାନ ସାଗରରେ ଲଘୁଚାପ

ଭୁବନେଶ୍ୱର : ଆସନ୍ତା ୨୯ ତାରିଖ ଆଡ଼କୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବା ସହ ପରବର୍ତ୍ତୀ ୪୮ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହାର ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ, ତାହା ପରେ ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

‌ପାଣିପାଗ କେନ୍ଦ୍ର କହିଛି, ବର୍ତ୍ତମାନ ରାଜ୍ୟରେ ବର୍ଷାର ବିଶେଷ ସମ୍ଭାବନା ନାହିଁ। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ରାଜ୍ୟରେ ଏବେ କିଛି କିଛି ସ୍ଥାନରେ କୁହୁଡ଼ି ଆରମ୍ଭ ହୋଇଯାଇଥିବା ବେଳେ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଏଥିସହ ଜଗତ୍‌ସିଂହପୁର, ଖୋର୍ଧା, ପୁରୀ, ନୟାଗଡ଼, କଳାହାଣ୍ଡି, କୋରାପୁଟ ଓ ସୋନପୁର ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦେଖିବାକୁ ମିଳିଛି। ତେବେ ଆସନ୍ତା ୨ଦିନରେ ରାଜ୍ୟର ରାତ୍ରି ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇପାରେ ବୋଲି କେନ୍ଦ୍ର କହିଛି। ଏହାପରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖା ଦେବ ନାହିଁ।

ସମ୍ବନ୍ଧିତ ଖବର