ଜୁଲାଇ ୨୧ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ 

ଭୁବନେଶ୍ବର :  ଆସନ୍ତା ୨୧ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି  । ଏହାର ପ୍ରଭାବରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ବର୍ଷା ପରିମାଣ ବଢିବାର ସମ୍ଭାବନା ରହିଛି  । ଏହି ଲଘୁଚାପ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅଧିକ କିଛି ସୂଚନା ଦିଆଯାଇନାହିଁ । ତେବେ ବିଭାଗର ପରବର୍ତ୍ତୀ ବୁଲେଟିନଗୁଡ଼ିକରେ ଏ ସମ୍ପର୍କରେ ଅଧିକ ସୂଚନା ଦିଆଯିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ଗତ ୧୧ ତାରିଖରେ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇଯାଇଛି । ଏହାର ପ୍ରଭାବରେ ଗତ କିଛି ଦିନ ହେଲା ଗୁଜୁରାଟ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଲାଗି ରହିଛି । ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି ।

ଗତ କାଲି ସଂଧ୍ୟାରେ ଆଇଏମଡି ପକ୍ଷରୁ ପ୍ରକାଶିତ ପାଣିପାଗ ବୁଲେଟିନରେ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ସହ ବର୍ଷାର ପୂର୍ବାନୁମାନ କରାଯାଇଥିଲା । ୨୧ ତାରିଖରେ ଲଘୁଚାପ ହେଲେ ରାଜ୍ୟରେ ପରବର୍ତ୍ତୀ ଦିନଗୁଡ଼ିକରେ ବର୍ଷା ଲାଗି ରହିବା ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର