ଭୁବନେଶ୍ବର: ରାଜ୍ୟରେ ଆଜି ପାଗ ମେଘୁଆ ରହିଥିବା ବେଳେ କିଛି କିଛି ସ୍ଥାନରେ ବର୍ଷା ବି ହୋଇଯାଇଛି। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ ମଧ୍ୟ ଦେଇ ଏକ ଟ୍ରଫ୍ଲାଇନ୍ ଗୁଜରାଟ, ଦକ୍ଷିଣ ଛତିଶଗଡ଼, ଦକ୍ଷିଣ ଓଡ଼ିଶା, ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଦେଇ ଗତି କରୁଥିବାରୁ ରାଜ୍ୟର ପାଣିପାଗର ସ୍ଥିତି ଏହିଭଳି ରହିଛି। ଏଥିସହ ଆସନ୍ତାକାଲି (ମଙ୍ଗଳବାର) ଉତ୍ତର ଆଣ୍ଡାମାନ ସାଗରରେ ଏକ ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ବୁଧବାର ସୁଦ୍ଧା ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ବିଶେଷକରି ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।
ଏଥିସହ ସଂଲଗ୍ନ ଉପକୂଳ ଓଡ଼ିଶାରେ ବି ପ୍ରବଳ ବର୍ଷିବାର ସମ୍ଭାବନାକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ରାଜ୍ୟରେ ୩ ତାରିଖ ଯାଏଁ ଏହିଭଳି ବର୍ଷା ଲାଗିରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଓଡ଼ିଶା ଉପକୂଳ ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବାର ଆଶଙ୍କା ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବା ନେଇ ବାରଣ କରାଯାଇଛି।