ଭୁବନେଶ୍ବର: ଆସନ୍ତା ୨୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପ୍ରଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ମଧ୍ୟରେ ଗଞ୍ଜାମ, ଗଜପତି, କାଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହାପୂର୍ବରୁ ଉତ୍ତର କେନ୍ଦ୍ରୀୟ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସ୍‌ଆରସିଙ୍କ ପକ୍ଷରୁ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯିବା ସହ ମତ୍ସ୍ୟଜୀବୀଙ୍କୁ ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି।

Advertisment

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଗତକାଲି ମୌସୁମୀ ଟ୍ରଫ୍‌ର ପୂର୍ବ ଭାଗ ଅର୍ଥାତ୍‌ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ସନ୍ଧ୍ୟା ସୁଦ୍ଧା ଝାଡ଼ଖଣ୍ଡ ଉପରେ ରହିଛି। ମଙ୍ଗଳବାର ତାହା ମୌସୁମୀ ଟ୍ରଫ୍‌ ସହ ବିଲୀନ ହେବ। ଏପର୍ଯ୍ୟନ୍ତ କୌଣସି ଲଘୁଚାପ ସୃଷ୍ଟି ହୋଇ ନାହିଁ। ‌ତେବେ ମୌସୁମୀ ସକ୍ରିୟ ରହିଥିବାରୁ ୨୮ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ବର୍ଷାର ପ୍ରଭାବ ରହିବ। ପୂର୍ବ ଆକଳନ ଅନୁଯାୟୀ ୨୮ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ଏବଂ ୨୯ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ୪୮ ଘଣ୍ଟା ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ରହି ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଉପକୂଳରେ ରହି ଦକ୍ଷିଣ ଛତିଶଗଡ଼ ମୁହାଁ ହେବ। ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ। ଯଦିଓ ୩୧ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହୋଇପାରେ କିନ୍ତୁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ନାହିଁ। ଅବିଭକ୍ତ କୋରାପୁଟ, ଗଞ୍ଜାମ, ଗଜପତି ଜିଲ୍ଲାରେ ମଧ୍ୟମଧରଣ ବର୍ଷା ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବନି। ୨୮ରୁ ୩୧ ତାରିଖ ମଧ୍ୟରେ ଭୁବନେଶ୍ବର, ୨୮ରୁ ସେପ୍ଟେମ୍ବର ୧ ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରତିଦିନ ସ୍ବଳ୍ପରୁ ମଧ୍ୟମ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି।