ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗର ଏବଂ ଏହା ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଲଘୁଚାପ ଏବେ ଉତ୍ତର ବଙ୍ଗୋପସାଗର ଏବଂ ଦକ୍ଷିଣ ବାଂଲାଦେଶ ଅଞ୍ଚଳରେ ଅଛି। ଏହା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ। କିନ୍ତୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସହ ୪୫ରୁ ୫୫କିମି ବେଗରେ ପବନ ବହିପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଘୂର୍ଣ୍ଣିବଳୟଟି ଆଜି ପୂର୍ବାହ୍ନ ୮ଟା ୩୦ରେ ଲଘୁଚାପରେ ପରିଣତ ହୋଇଛି। ଏହା ଏବେ ସମୁଦ୍ର ପତ୍ତନରୁ ୫.୮କିମି ଉପରେ ଅଛି। ଲଘୁଚାପ ଶକ୍ତିଶାଳୀ ଥିବାରୁ ଉତ୍ତର ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳ ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଏହାବାଦ୍ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ବର୍ଷାର ପରିମାଣ ବଢ଼ିପାରେ।
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଲଘୁଚାପ ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହାବାଦ୍ ସୁନ୍ଦରଗଡ଼, ସୋନପୁର, ଦେବଗଡ଼, ବୌଦ୍ଧ, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ ଏବଂ ସମ୍ବଲପୁରର ଗୋଟିଏରୁ ଦୁଇଟି ସ୍ଥାନରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଅଛି। ୧୧ତାରିଖ ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଲାଗି ରହିବ, ୧୨ତାରିଖରେ ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ। ୧୩ତାରିଖରେ ବି ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ପରେ ଆଜି ଟିଟିଲାଗଡ଼ରେ ସର୍ବାଧିକ ୩୦ମିମି ବର୍ଷା ହୋଇଥିବାବେଳେ ଚାନ୍ଦବାଲିରେ ୨୯ମିମି, ବାଲେଶ୍ୱରରେ ୨ମିମି, କଟକରେ ୧୭.୪ମିମି, ପାରାଦୀପରେ ୧ମିମି, ପୁରୀରେ ୧ମିମି, ଅନୁଗୁଳରେ ୩ମିମି, ଝାରସୁଗୁଡ଼ାରେ ୪ମିମି, କେନ୍ଦୁଝରଗଡ଼ରେ ୭ମିମି, ଭବାନିପାଟଣାରେ ୧୯ମିମି, ଢେଙ୍କାନାଳରେ ୨ମିମି ବର୍ଷା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/rain-5.jpg)