୬ରୁ ଲଘୁଚାପ ବର୍ଷା, ଅଗଷ୍ଟ ୫ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ

ଭୁବନେଶ୍ୱର : ଅଗଷ୍ଟ ୬ରୁ ରାଜ୍ୟରେ ପୁଣିଥରେ ବର୍ଷା ଆରମ୍ଭ ହୋଇଯିବ। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଏକ ଲଘୁଚାପ ପ୍ରଭାବରେ ୬ରୁ ୯ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ୨ ଦିନ ହେଲା ରାଜ୍ୟରେ ପାଗ ଖରାଟିଆ ରହିଛି। ମୌସୁମୀ-ବିରତି ଜାରି ରହିଥିବାରୁ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ଅଗଷ୍ଟ ୫ ଯାଏ ପାଗ ଏହିଭଳି ଶୁଖିଲା ରହିବ।

ମୌସୁମୀ ନିମ୍ନ-ଚାପରେଖାର ଉତ୍ତରାୟଣ ଗତି ସହ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଯାଇଛି। ଫଳ‌ରେ ରାଜ୍ୟରେ ବର୍ଷାର ପ୍ରଭାବ କମିଛି ଓ ଗତ ୨୪ ଘଣ୍ଟାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଯାଏ ଅଧିକ ରେକର୍ଡ କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ। ମଝିରେ ମଝିରେ ଅପରାହ୍‌ଣରେ ପରିଚଳନଜନିତ ବର୍ଷା ହୋଇପାରେ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜୁଲାଇ ୧ରୁ ୨୯ ତାରିଖ ସୁଦ୍ଧା ରାଜ୍ୟରେ ୩୬୮.୩ ମିମି ବର୍ଷା ହୋଇଛି। ସାଧାରଣତଃ ବର୍ଷର ଏହି ସମୟ ମଧ୍ୟରେ ୩୪୪.୬ ମିମି ବର୍ଷା ହୋଇଥାଏ। ଅର୍ଥାତ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ବାଭାବିକଠାରୁ ୬.୧% ଅଧିକ ବର୍ଷା ହୋଇଯାଇଛି। ପ୍ରକାଶ ଥାଉକି, ଜୁନ୍‌ରେ ରାଜ୍ୟରେ ବର୍ଷା ୩୯.୭% କମ୍‌ ରହିଥିଲା। ବର୍ତ୍ତମାନ ସୁଦ୍ଧା ମାଲକାନଗିରିରେ ସର୍ବାଧିକ ୫୩୫ ମିମି ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ ୨୯୧ମିମି ବର୍ଷା ହୋଇଛି। ସୁନ୍ଦରଗଡ଼, ସମ୍ବଲପୁର ଓ ବଲାଙ୍ଗୀର ଆଦି ୩ ଜିଲ୍ଲାରେ ଜୁଲାଇରେ ୨୦ରୁ ୩୨% ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ପୁରୀ, କେନ୍ଦ୍ରାପଡ଼ା, ବୌଦ୍ଧ, ମାଲକାନଗିରି, ଖୋର୍ଧା, କନ୍ଧମାଳ ଓ ଜଗତସିଂହପୁରରେ ସ୍ବାଭାବିକଠାରୁ ଅଧିକ (୧୯%ରୁ ଅଧିକ) ହୋଇଛି। ବାକି ୨୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଆକଳନ କରାଯାଉଛି, ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ବର୍ଷା ହେବ। ଦିନ ବେଳେ ଖରା ଟାଣ ରହିବ, ତାପମାତ୍ରା ବଢ଼ିବ। ସ୍ଥାନେସ୍ଥାନେ ଉପରବେଳା ପରିଚଳନଜନିତ ବର୍ଷା ହେବ। ଏଥିସହ କିଛି କିଛି ସ୍ଥାନରେ ବଜ୍ରପାତର ମଧ୍ୟ ସମ୍ଭାବନା ରହିଛି।

ବିଭିନ୍ନ ମଡେଲରୁ ଜଣାପଡ଼ୁଛି, ଅଗଷ୍ଟ ୬ରେ ବଙ୍ଗୋପସାଗରରେ ଏକ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଭଲ ବର୍ଷା ହେବ। ଧାନ ରୁଆ ବେଉଷଣ ପାଇଁ ବର୍ଷା ବାଧକ ସାଜିବନି ବୋଲି ଡ. ପଶୁପାଳକ କହିଛନ୍ତି।

ସମ୍ବନ୍ଧିତ ଖବର