ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ଧାନ ଫସଲ ଉପରେ ଦାଉ ସାଧୁଛି ରୋଗପୋକ। ଏଥିରୁ ଅନେକ ଦୂରରେ ରହିଛି ଉପକୂଳର ଅଧିକାଂଶ ଜିଲ୍ଲା। କିନ୍ତୁ ଆଉ ବେଶୀ ଦିନ ନୁହେଁ। ଆସନ୍ତା ସୋମବାର ଦିନଠାରୁ ଦକ୍ଷିଣ ଉପକୂଳ ଏବଂ ୧୬ ତାରିଖରୁ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ କ୍ଷେତରେ ହସୁଥିବା ଧାନ ଫସଲକୁ ଭିଜାଇ, ପଚାଇ ନଷ୍ଟ କରିଦେବ ପ୍ରବଳ ବର୍ଷା। ଏ ନେଇ ରାଜ୍ୟ ସରକାର ଚାଷୀମାନଙ୍କୁ ସତର୍କବାଣୀ ଶୁଣାଇଲେଣି। ସେମାନଙ୍କୁ ପରାମର୍ଶ ଦେଇଛନ୍ତି ଧାନ ଫସଲକୁ ସୁରକ୍ଷିତ ଭାବେ ଘୋଡ଼ାଇ ରଖ। ଲଘୁଚାପ ଏବେ ବହୁଦୂରରେ ରହିଛି ସତ, ତା’ ପ୍ରଭାବରେ ୧୩ ତାରିଖରୁ ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହୋଇଯିବ ବର୍ଷା। ୧୬ ତାରିଖ ବେଳକୁ ଓଡ଼ିଶା ଉପକୂଳକୁ ଛୁଇଁବ। ସେତେବେଳକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ। ପବନର ବେଗ ବି ଘଣ୍ଟାକୁ ୫୫ କି.ମି. ଟପିପାରେ।
ଏ ନେଇ ଆଜି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାର ସୂଚନା ଆଧାରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ମଧ୍ୟ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଚାଷୀମାନଙ୍କୁ ସତର୍କ କରାଇ ଦେଇଛନ୍ତିି। ପ୍ରବଳ ବର୍ଷା ପ୍ରଭାବରେ ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର, ଯାଜପୁର, ପୁରୀ, ଖୋର୍ଧା, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ବର୍ଷା ଯୋଗୁଁ ଫସଲ ନଷ୍ଟ ହେବାର ଆଶଙ୍କା ଥିବାରୁ ୍ରଅମଳ ଧାନକୁ ଘୋଡ଼ାଇ ରଖିବାକୁ ସଂପୃକ୍ତ ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯେଉଁଠି ଧାନ ଫସଲ ଅମଳ ପାଇଁ ପ୍ରସ୍ତୁତ ରହିଛି ସେଗୁଡ଼ିକୁ ବର୍ଷାରୁ ବଞ୍ଚାଇବା ନିମନ୍ତେ କାଟି ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି।
ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ବର୍ତମାନ ଲଘୁଚାପ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଏବଂ ଏହାର ଆଖପାଖରେ ରହିଛି। ୧୫ ତାରିଖ ବେଳକୁ ଏହା ଉତ୍ତର ଆନ୍ଧ୍ର ପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ନିକଟତର ହେବ। ଏହାର ପ୍ରଭାବରେ ଉପକୂଳରେ ଘଣ୍ଟାକୁ ୪୦ରୁ ୪୫ କି.ମି. ବେଗରେ ପବନ ବହିବ। ପବନର ସର୍ବାଧିକ ବେଗ ଘଣ୍ଟାକୁ ୫୫ କି.ମି. ହୋଇପାରେ। ଏହାର ପ୍ରଭାବରେ ୧୩ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କନ୍ଧମାଳ ଆଦି ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବ। ୧୪ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୬ ତାରିଖ ବେଳକୁ ଲଘୁଚାପ ରାଜ୍ୟର ଉପକୂଳକୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ୧୬, ୧୭ ତାରିଖରେ ଉପକୂଳ ଏବଂ ଏହାର ଆଖପାଖ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେତେବେଳକୁ ଲଘୁଚାପ ବି ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି। ତେବେ ବାତ୍ୟାର ଆଶଙ୍କା ନାହିଁ ବୋଲି ଡ. ସାହୁ କହିଛନ୍ତିି। ପ୍ରବଳ ବର୍ଷା ପ୍ରଭାବରେ ଦିନର ତାପମାତ୍ରାରେ ବିଶେଷ ପରିବର୍ତନ ଘଟିବାର ସମ୍ଭାବନା ରହିଛି। ତେବେ ଏ ନେଇ ସୋମବାର ବେଳକୁ ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧.୫° ସେଲ୍ସିୟସ, ଫୁଲବାଣୀର ୧୨.୪°, ହୀରାକୁଦର ୧୩.୨°କୁ ଖସିଛି। ସେହିପରି ଆହୁରି ୧୮ଟି ସ୍ଥାନର ସର୍ବନିମ୍ନ ତାପମାତ୍ରା ୨୦° ତଳେ ରହିଥିବା ବେଳେ ୮ଟି ସ୍ଥାନର ସର୍ବୋଚ୍ଚ ତାପମାତ୍ରା ୩୦° ତଳକୁ ଖସିଛି। ଉପକୂଳର ବାଲେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୭.୫° ଥିବା ବେଳେ କଟକରେ ୧୮°, ଭୁବନେଶ୍ୱରରେ ୧୮.୪°, ଚାନ୍ଦବାଲିରେ ୧୮.୮° ରେକର୍ଡ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/paddy-1.jpg)