ଖୋର୍ଦ୍ଧା: କଥାରେ ଅଛି କାହାର ପୁଷ ମାସ ତ କାହାର ସର୍ବନାଶ। ପୌଷ-ମାର୍ଗଶିର ମାସ ଧାନ ଫସଲର ଏକ ଗୁରୁତ୍ବପୂର୍ଣ୍ଣ ସମୟ। ପୌଷ ମାସରେ ଧାନ ପାଚିବା ଆରମ୍ଭ କରେ ଓ ମାର୍ଗଶିର ମାସରେ ଚାଷୀ ଧାନ ଅମଳ କରିଥାଏ। ଧାନ ପାଚିବା ସମୟରେ କ୍ଷେତରେ ପାଣି ଅଧିକ ହେଲେ କ୍ଷତି ଓ କମିଲେ ମଧ୍ୟ କ୍ଷତି। ସେହିଭଳି ଅମଳ ବେଳେ ବର୍ଷା ହେଲେ ବର୍ଷକର ପରିଶ୍ରମ ନଷ୍ଟ ହେବା ଆଶଙ୍କା ରୁହେ। ଏଭଳି ସ୍ଥିତିରେ ଚଳିତ ଖରିଫ ଋତୁ ଖୋର୍ଦ୍ଧା ଜିଲ୍ଳାର ଚାଷୀଙ୍କ ପାଇଁ ଚିନ୍ତାର ଋତୁ ପାଲଟି ଯାଇଛି। ସ୍ପଳ୍ପ ବୃଷ୍ଟି ଯୋଗୁଁ ପୌଷ ମାସରେ ଧାନକ୍ଷେତ ଶୁଖିଲା ପଡ଼ିଥିବା ବେଳେ ବର୍ତ୍ତମାନ ଅମଳ ବେଳେ ଲଗୁଚାପ ବର୍ଷାକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇଛି।
ମିଗଜୋମ ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ସକାଳ ୯ଟାରୁ ବର୍ଷା ଆରମ୍ଭ ହୋଇଥିଲା। ଖବର ଲେଖାଯିବା ବେଳକୁ ଝିପିଝିପି ବର୍ଷା ଲାଗିରହିଥିଲା। ଅପରାହ୍ଣ ୫ଟା ସୁଦ୍ଧା ଜିଲ୍ଲାରେ ମୋଟ ୨୫୫.୭ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଣପୁରରେ ସର୍ବାଧିକ ୩୫ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ବର ମହାନଗର ନିଗମର ଦକ୍ଷିଣ-ପୂର୍ବ ଯୋଜନାରେ ସର୍ବନିମ୍ନ ୨.୨ ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ଚିଲିକାରେ ୨୮ ମିମି, ବାଲିଅନ୍ତାରେ ୨୧ ମିମି, ବାଲିପାଟଣାରେ ୭ ମିମି, ଭୁବନେଶ୍ବର ବ୍ଲକରେ ୨୧.୨ ମିମି, ଜଟଣୀରେ ୧୯ ମିମି, ବେଗୁନିଆରେ ୧୪ ମିମି, ବୋଲଗଡ଼ରେ ୧୩ ମିମି, ଖୋର୍ଦ୍ଧାରେ ୨୩ ମିମି, ଟାଙ୍ଗୀରେ ୧୫ ମିମି, ଭୁବନେଶ୍ବର ମହାନଗର ନିଗମ ମୁଖ୍ୟାଳୟ ବର୍ଷାମାପକ କେନ୍ଦ୍ର ଠାରେ ୧୯ ମିମି, ଭୁବନେଶ୍ବର ମହାଗନଗର ନିଗମ ଦକ୍ଷିଣ-ପଶ୍ଚିମ ଜୋନଷର ୨୦ ମିମି, ଭୁବନେଶ୍ବର ମହାନଗର ନିଗମ ଉତ୍ତର ଜୋନରେ ୧୮ ମିମି ବର୍ଷା ରେକର୍ଡ କରାଯାଇଛି।
ବର୍ଷା ଯୋଗୁଁ କ୍ଷେତରେ ଥିବା ଅମଳକ୍ଷେମ ଧାନ ଓ କଟାଯାଇଥିବା ଧାନର କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀ ଶରତ ଚନ୍ଦ୍ର ପରିଡ଼ା କହିଛନ୍ତି ଯେ ଲଘୁଚାପ ବର୍ଷା ସମ୍ପର୍କରେ ସମସ୍ତ ଚାଷୀଙ୍କୁ ପୂର୍ବରୁ ସୂଚିତ କରାଯାଇଛି। ଜମିରେ ୮୦ ପ୍ରତିଶତ ଯଦି ଧାନ ପାଚିଥାଏ ତେବେ ତାକୁ କାଟି ନେବାକୁ ପରାମର୍ଶ ଦିଆଯାଇଥିଲା। ଖଳାରେଥିବା ଧାନକୁ ଘୋଡ଼ାଇ ରଖିବାକୁ କୁହାଯାଇଥିଲା। କୃଷିମିତ୍ର, ଭିଏଲ୍ଡବ୍ଲୁ, କୃଷି ସମବାୟ ସମିତି ପକ୍ଷରୁ ମଧ୍ୟ ଚାଷୀଙ୍କୁ ଆବଶ୍ୟକ ସତର୍କତା ମୂଳକ ସୂଚନା ଦିଆଯାଇଥିଲା। ତେବେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ତାହା ଆସନ୍ତାକାଲି ଜଣାପଡ଼ିବ।
କୃଷି ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟରେ ଚଳିତ ଖରିଫ ଋତୁରେ ଜିଲ୍ଲାରେ ୧ଲକ୍ଷ ୨ ହଜାର ୮୫୬ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା। ଏହା ମଧ୍ୟରୁ ସ୍ବଳ୍ପ ବୃଷ୍ଟି ଯୋଗୁଁ ୧୨, ୪୭୨ ହେକ୍ଟର ଧାନ ଜମିରେ ଆଦ୍ରତା ଚାପ (ଜଳାଭାବ) ସୃଷ୍ଟି ହୋଇଥିଲା। ଖୋର୍ଦ୍ଧାରେ ୧୨୩୭୧ ହେକ୍ଟର ଧାନ ଫସଲରୁ ସ୍ପଳ୍ପବୃଷ୍ଟି ଯୋଗୁଁ ୫୩୫୨ ହେକ୍ଟର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବେଗୁନିଆରେ ୧୩,୬୯୦ ହେକ୍ଟର ମଧ୍ୟରୁ ୨୦୫୪ ହେକ୍ଟର, ବୋଲଗଡ଼ରେ ୧୩,୭୦୭ ହେକ୍ଟର ମଧ୍ୟରୁ ୨୨୯୪, ଟାଙ୍ଗୀରେ ୯୪୮୪ ହେକ୍ଟର ମଧ୍ୟରୁ ୨୨୩୯ ହେକ୍ଟର, ଚିଲିକାରେ ୯୭୪୫ ହେକ୍ଟର ମଧ୍ୟରୁ ୫୩୦ ହେକ୍ଟର, ଭୁବନେଶ୍ବର ବ୍ଲକରେ ୮୭୧୦ ହେକ୍ଟର ମଧ୍ୟରୁ ୨୩ ହେକ୍ଟର ଜମି ଶୁଖିଲା ରହିଥିଲା।