ପ୍ରଭାବିତଙ୍କ ଦୁର୍ଦ୍ଦଶା ବଢ଼ାଇଲା ଲଘୁଚାପ ବର୍ଷା, ବନ୍ୟା ଧୋଇନେଲା ଜୀବନ ଜୀବିକା

ବାଲେଶ୍ବର: ବନ୍ୟା ସ୍ଥିତିର ସାମାନ୍ୟ ସୁଧାର ଆସୁଛି। ସବୁ ନଦୀର ଜଳସ୍ତର କମିବାରେ ଲାଗିଛି। ଧୀ‌ରେ ଧୀରେ ପ୍ରଭାବିତ ଅଞ୍ଚଳରେ ପାଣି ଛାଡ଼ୁଥିବା ବେଳେ ବିପନ୍ନଙ୍କ ଦୁର୍ଦ୍ଦଶା କିନ୍ତୁ ବଢ଼ିଛି। ଜୀବନ ଯେତିକି ପ୍ରଭାବିତ ହୋଇଛି, ଜୀବିକା ବି ସେତିକି ପ୍ରଭାବିତ ହୋଇଛି। ବନ୍ୟା ସବୁକିଛି ଛାରଖାର କରିଦେଇଛି। ପାଣି ଛାଡ଼ିବା ପରେ ଲୋକେ ଘରକୁ ଫେରୁଛନ୍ତି ସତ। ହେଲେ ଘର ସଜାଡ଼ିବା ପାଇଁ କିଛି ନାହିଁ। ଘର ଭିତରେ ଆଣ୍ଠୁଏ ବହଳର କାଦୁଅ। ଖିନଭିନ ହୋଇଯାଇଛି ଆସବାବପତ୍ର। ଘରକାନ୍ଥ ଭାଙ୍ଗି ଦେଇଛି ବନ୍ୟା। ଅଖିଆଅପିଆରେ ଦିନ କାଟୁଛନ୍ତି। ଅଧାଭଙ୍ଗା ଘରକୁ ସଜାଡ଼ିବାକୁ ପ୍ରୟାସ ଚଳାଇଛନ୍ତି ବିପନ୍ନ। ଓଦା ଚୁଲିରେ ନିଆଁ ଧରାଉଛନ୍ତି। ସେପଟେ ଚାଷଜମିରୁ ପାଣି ଛାଡ଼ିନାହିଁ। ପୂରା ପାଣି ଛାଡ଼ିବାକୁ ଆହୁରି କିଛିଦିନ ଲାଗିଯିବ। ବନ୍ୟାରେ ବାଲିଆପାଳ, ବସ୍ତା, ଭୋଗରାଇ, ଜଳେଶର, ରେମୁଣା ଓ ସଦର ବ୍ଲକର ପ୍ରଭାବିତ ଲୋକେ ଭାଗ୍ୟକୁ ଆଦରି ଅଣ୍ଟାସଳଖି ଛିଡ଼ା ହେବାବାକୁ ‌ବଳ ଜୁଟାଉଛନ୍ତି। ହେଲେ ଆଜିର ବର୍ଷା ସେମାନଙ୍କର ଦୁଃଖ ବଢ଼ାଇଦେଇଛି।

ଲଘୁଚାପ ସୃଷ୍ଟି ହେବାରୁ ସକାଳଠୁ ଝିପ୍‌ଝିପ୍‌ ବର୍ଷା ଆରମ୍ଭ ହୋଇଥିଲା। ଦିନ ୨ଟା ପରେ ଯଦିଓ ବର୍ଷା ଚାଡ଼ିଛି, କିନ୍ତୁ ପାଗ କୋହଲା ରହିଛି। ଆଜି ସକାଳଠୁ ସନ୍ଧ୍ୟା ୮.୩୦ ପର୍ଯ୍ୟନ୍ତ ୧୨.୪ ମିମି ବର୍ଷା ହୋଇଥିବା ବେଳେ ଆସନ୍ତାକାଲିଠୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ କହିଛି। ସନ୍ଧ୍ୟା ୬ଟା ସୁଦ୍ଧା ବୁଢ଼ାବଳଙ୍ଗ ଏନ୍‌ଏଚ୍‌-୫ ଠାରେ ୪.୫୦ ମିଟରରେ ପ୍ରବାହିତ ହେଉଛି। ସେହିପରି ସୁବର୍ଣ୍ଣରେଖା ରାଜଘାଟଠାରେ ୮.୭୬ମିଟରରେ ପ୍ରବାହିତ ହେଉଛି। ଜଳକା ଜଳସ୍ତର ମଥାନିଠାରେ ୬.୦୪ ମିଟରରେ ପ୍ରବାହିତ ହେଉଥିବା ବେଳେ ବିପଦ ସଂକେତ ଉପରେ ରହିଛି। ଆଉ ଦୁଇ ନଦୀର ଜଳସ୍ତର କମି ବିପଦ ସଂକେତ ତଳେ ରହିଛି। ଗାଁ ଦାଣ୍ଡରୁ ପାଣି ଏବେ ବି ଛାଡ଼ିନାହିଁ। ସରକାରୀ ରିପୋର୍ଟ କହୁଛି, ବନ୍ୟାରେ ସଦର ଓ ରେମୁଣା ବ୍ଲକରେ ୯ ଟି ପଞ୍ଚାୟତ ଓ ୱାର୍ଡ ପ୍ରଭାବିତ ହୋଇଛି। ହେଲେ ଏହାଠୁ ଅଧିକ ପଞ୍ଚାୟତ ଓ ୱାର୍ଡ ପ୍ରଭାବିତ ହୋଇଥିବା ଜଣାଯାଇଛି।

ବାଲେଶ୍ବର ସଦର ବ୍ଲକର ବୁଆଁଳ, ନଗ୍ରମ, ସିନ୍ଧିଆ, ବଇଁଚା, ଓଲନ୍ଦାସାରଗାଁ, ଓଡ଼ଙ୍ଗି, ଗୋପୀନାଥପୁର, ରାଇସୁଆଁ, ହଳଦୀପଦା, କଷିପଦା, ରସଲପୁର, ଶ୍ରୀରାମପୁର, କୁରାଢ଼ିଆ, ଛାନୁଆ, ପରିଖି, ପାତ୍ରପଡ଼ା, ଫୁଲାଡ଼ି ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ମୁନିସିପାଲିଟିର ତଳସାହି, ବାଲିଘାଟ, ମହାପାତ୍ରସାହି, ଅରଡ଼ବଜାର ଆଦି ଅଞ୍ଚଳରେ ବହୁ ଲୋକଙ୍କ ଘରେ ପାଣି ପଶିଥିଲା। ୨ ହଜାରରୁ ଅଧିକ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ବେଳେ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଛି।

ସେହିପରି ରେମୁଣା ବ୍ଲକର ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀ ବନ୍ୟାରେ ବଡ଼ପାଳ, କଲ୍ୟାଣପୁର, ଗୁଡ଼ୁଦା, ଦୁର୍ଗାଦେବୀ, ମନ୍ଦାରପୁର, ଦହପଡ଼ା, ଚଷାଖଣ୍ଡ, ନିଜାମପୁର ଗଣ୍ଡରଦା, ଦହପଡ଼ା, କେଶପୁର, ନୂଆପୁର ଓ ହରିପୁର ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ୨ ହଜାର ହେକ୍ଟରରୁ ଅଧିକ ଚାଷ ଜମି ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ବ ବିଭାଗର ଅଧିକାରୀଙ୍କ ପକ୍ଷରୁ କ୍ଷୟକ୍ଷତିର ସର୍ଭେ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ତାରିଖ ପରେ ଏହାର ପରିମାଣ ଜଣାପଡ଼ିବ। ଏତେ ଦିନ ଧରି ପାଣି ଘେରରେ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ରିଲିଫ୍‌ କିମ୍ବା ରନ୍ଧାଖାଦ୍ୟ ବିପନ୍ନଙ୍କୁ ଦିଆଯାଇନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର