ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ଅବସ୍ଥିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୩.୧ ଓ ୫.୮ କିମି ମଧ୍ୟରେ ରହିଛି। ଟ୍ରପିକାଲ୍ ସାଇକ୍ଲୋନ୍ ‘ଉଇଫା’ର ଅବଶିଷ୍ଟାଂଶ ଏକ ଘୂର୍ଣ୍ଣିବଳୟ ଭାବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା (ଗୁରୁବାର) ମଧ୍ୟରେ ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ବୁଧବାର ଠାରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ରାଜ୍ୟର ଅନ୍ୟ ସ୍ଥାନରେ ବି ବର୍ଷା ସମ୍ଭାବନା ରହିଛି। ତେବେ ୨୫ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝରରରେ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଉପକୂଳ ଜିଲ୍ଲାଗୁଡ଼ିକରେ ବି ଭୀଷଣ ବର୍ଷା ହେବ। ସାରା ଓଡ଼ିଶାରେ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ରାଜ୍ୟରେ ଜୁନ୍ ୧ରୁ ବର୍ତ୍ତମାନ ସୁଦ୍ଧା ଭଲ ବର୍ଷା ହୋଇଥିବା ବେଳେ ଏହା ସ୍ବାଭାବିକ ଠାରୁ ଅଧିକ। ଜୁନ୍ ପହିଲାରୁ ଜୁଲାଇ ୨୩ ତାରିଖ ଯାଏ ରାଜ୍ୟରେ ସର୍ବମୋଟ୍ ୫୧୪.୨ ମିମି ବର୍ଷା ହୋଇଯାଇଛି। ଯାହାକି ସ୍ବାଭାବିକ ବର୍ଷା ୪୫୮.୮ ମିମି ଠାରୁ ୧୨% ଅଧିକ। ତେବେ ଏହି ସମୟ ଅବଧି ମଧ୍ୟରେ କୋରାପୁଟ, ବୌଦ୍ଧ, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ସ୍ବାଭାବିକଠାରୁ ୨୦%ରୁ ବି ଅଧିକ ବର୍ଷା ହୋଇଛି। ରାଜ୍ୟର ସର୍ବାଧିକ ବର୍ଷା ସୁନ୍ଦରଗଡ଼ ଜିଲ୍ଲାରେ ହୋଇଛି। ସୁନ୍ଦରଗଡ଼ରେ ବର୍ତ୍ତମାନ ସୁଦ୍ଧା ୭୬୩.୪ ମିମି ବର୍ଷା ହୋଇଯାଇଥିବା ବେଳେ ଏହା ସ୍ବାଭାବିକଠାରୁ ୫୪% ଅଧିକ। ରାଜ୍ୟର ୧୬ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଯାଇଥିବା ବେଳେ ନୂଆପଡ଼ା, ବଲାଙ୍ଗୀର, ଗଜପତି, ଗଞ୍ଜାମ ଓ ପୁରୀରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଏହି ସବୁ ଜିଲ୍ଲାରେ ୨୦ରୁ ୫୦% ପର୍ଯ୍ୟନ୍ତ କମ୍ ବର୍ଷା ରେକର୍ଡ ହୋଇଛି। ସବୁଠାରୁ ସଙ୍କଟଜନକ ସ୍ଥିତିରେ ରହିଛି ପୁରୀଜିଲ୍ଲା। ଏଠାରେ ସର୍ବମୋଟ ୨୫୦.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ବାଭାବିକଠାରୁ ଏହା ୩୨% କମ୍।