ଭୁବନେଶ୍ବର/ସମ୍ବଲପୁର : ପଶ୍ଚିମ ମିଆଁମାର ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ପୂର୍ବାହ୍ନ ସୁଦ୍ଧା ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ଉତ୍ପନ୍ନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ରିପୋର୍ଟ ଲେଖା ହେବା ବେଳକୁ ଲଗାଣ ବର୍ଷା ଯୋଗୁଁ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ଇବ୍‌ ନଦୀ ଫୁଲୁଛି। ବୈତରଣୀ ନଦୀ ବିପଦ ସଂକେତ ନିକଟରେ ପ୍ରବାହିତ ହେଉଥିବା ବେଳେ ଦେବୀ, କୁଶଭଦ୍ରାର ଜଳସ୍ତର ସ୍ଥିର ‌ରହିଛି। ସେହିଭଳି ଉପର ମୁଣ୍ଡରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଥିବାରୁ ମହାନଦୀରେ ମଧ୍ୟମଧରଣର ବନ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ୨୪ଘଣ୍ଟା ମଧ୍ୟରେ ହୀରାକୁଦର ଜଳସ୍ତର ପାଖାପଖି ୪ମିଟର ବୃଦ୍ଧି ପାଇଛି।

Advertisment

publive-image

ଏଭଳି ସମୟରେ ଶନିବାରଠାରୁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ତେଣୁ ନଦୀ ଜଳସ୍ତର ଆହୁରି ବଢ଼ିବା ସହ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଗତକାଲି ହୀରାକୁଦର ୧୦ଟି ଗେଟ୍‌ ଖୋଲିଥିବା ବେଳେ ଆଜି ଆଉ ୧୦ଟି ଗେଟ୍‌ ଖୋଲାଯାଇଛି। ହୀରାକୁଦକୁ ପ୍ରତି ସେକେଣ୍ଡ୍‌ରେ ୩ ଲକ୍ଷ ୯୩ ହଜାର ୩୨୩ କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ମୋଟ ୨୦ଟି ଗେଟ୍ ଦେଇ ୩ ଲକ୍ଷ ୪୦ ହଜାର ୮୯୦ କ୍ୟୁସେକ୍‌ ଜଳ ମହାନଦୀକୁ ଛଡ଼ାଯାଉଛି। ମହାନଦୀରେ ଜଳସ୍ତର ବିପଦ ସଂକେତ ପାଖାପାଖି ପ୍ରବାହିତ ହେଉଥିବାରୁ ହୀରାକୁଦ ପାଣି ପହଞ୍ଚିବା ପରେ ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ବଢ଼ିଛି।

ବିପଦ ସଂକେତ ଉପରେ ଜଳକା, ନିକଟରେ ବୈତରଣୀ
ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ଇବ୍‌ ଫୁଲୁଛି

publive-image ଜଳକା ନଦୀରେ ପ୍ରଥମ ବନ୍ୟା

ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ କହିଛନ୍ତି ‌ଯେ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି। ତେବେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ଆଜି ସକାଳ ୯ଟା ବେଳକୁ ହାରାହାରି ଜଳପ୍ରବେଶ ୪ ଲକ୍ଷ ୨୦ ହଜାର କ୍ୟୁସେକ୍‌ ଅତିକ୍ରମ କରିବାରୁ ୧୧ଟା ୩୦ରେ ଅଧିକ ଗେଟ୍‌ ଖୋଲିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ମଧ୍ୟାହ୍ନ ୧୨ଟା ସୁଦ୍ଧା ହୀରାକୁଦ ବନ୍ଧର ବାମ ସ୍ପିଲ୍‌ୱେର ୧୩ଟି ଓ ଡାହାଣ ସ୍ପିଲ୍‌ୱେର ୭ଟି ସ୍ଲୁଇସ୍ ଗେଟ୍ ଖୋଲା ଯାଇଥିଲା। ସନ୍ଧ୍ୟା ୬ଟା ବେଳକୁ ହୀରାକୁଦ ଜଳସ୍ତର ୬୧୬.୧୫ ଫୁଟ୍‌ ରହିଛି। ସ୍ପିଲ୍‌ୱେର ୨୦ଟି ଗେଟ୍ ଦେଇ ୩ ଲକ୍ଷ ୬ ହଜାର ୯୮୦ କ୍ୟୁସେକ୍‌, ପାୱାର୍ ଚାନେଲ୍ ଦେଇ ୩୦ ହଜାର ୮୪୩ କ୍ୟୁସେକ୍‌, ବଗରଡ଼ ମୁଖ୍ୟ କେନାଲ୍ ଦେଇ ୨ ହଜାର ୪୯୪ କ୍ୟୁସେକ୍, ଶାସନ ମୁଖ୍ୟ କେନାଲ୍ ଦେଇ ୩୦୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୨୧ କ୍ୟୁସେକ୍, ଶିଳ୍ପ ସଂସ୍ଥା ପାଇଁ ୨୫୨ କ୍ୟୁସେକ୍ ପାଣି ଛଡ଼ା ଯାଉଛି। ହୀରାକୁଦ ତଳମୁଣ୍ଡ ବେଲଗାଁଠାରେ ୩୦ ହଜାର, ପଥର୍ଲାଠାରେ ୮୭ ହଜାର, ଖଇରମାଳଠାରେ ୩ ଲକ୍ଷ ୭୫ ହଜାର, ବରମୂଳଠାରେ ୧ ଲକ୍ଷ ୮୯ ହଜାର ଓ ମୁଣ୍ଡଳିଠାରେ ୩ଲକ୍ଷ ୯ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଛି। ଗତ ୨୪ ଘଣ୍ଟାରେ ହୀରାକୁଦର ଉପର ମୁଣ୍ଡରେ ୨୦.୮୦ ମିଲିମିଟର୍‌ ଓ ତଳ ମୁଣ୍ଡରେ ୭.୨୭ ମିଲିମିଟର୍‌ ହାରାହାରି ବର୍ଷା ହୋଇଛି। ବନ୍ୟା ସ୍ଥିତି ସଂପର୍କରେ ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ଯେ ସ୍ଥିତି ନିୟନ୍ତ୍ରଣରେ ରହିଛି। ଉପର ମୁଣ୍ଡରୁ ଅତ୍ୟଧିକ ପାଣି ନ ଆସିଲେ ଆଉ ଅଧିକ ଗେଟ୍‌ ଖୋଲିବା ଆବଶ୍ୟକତା ନାହିଁ। ବର୍ଷା କମିଥିବାରୁ ଆଉ ଅଧିକ ପାଣି ଆସିବା ଆଶଙ୍କ ମଧ୍ୟ ନାହିଁ। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି ସରକାର ଓ ପ୍ରଶାସନ ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ଅଛନ୍ତି।

ଏପଟେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ(ଇଆଇସି) ବିଜୟ କୁମାର ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ସବୁ ନଦୀର ଜଳସ୍ତର ବଢ଼ିଥିଲେ ମଧ୍ୟ ବନ୍ୟା ଆଶଙ୍କା ନାହିଁ। ଆଗକୁ ପ୍ରବଳ ବର୍ଷା ହେବାକୁ ଥିବାରୁ ପରିସ୍ଥିତି ଉପରେ ନଜର ରଖାଯାଇଛି। ମୁଣ୍ଡଳୀଠାରେ ୩.୪୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ହୀରାକୁଦର ୨୦ଟି ଗେଟ୍ ଖୋଲା ରହିଥିଲେ ମଧ୍ୟ ଏହି ପାଣି ନଦୀଗୁଡ଼ିକୁ ଆସିନି। ହୀରାକୁଦ ପାଣି ଆସିଲା ବେଳକୁ ଏହି ନଦୀମାନଙ୍କରେ ଥିବା ପାଣି ଖସି ଯାଇଥିବ। ତେଣୁ ସେଭଳି କିଛି ଚିନ୍ତାଜନକ ସ୍ଥିତି ନାହିଁ। ପୂର୍ଣ୍ଣିମା ମଧ୍ୟ ସେତେବେଳକୁ ଚାଲି ଯାଇଥିବ, ତେଣୁ ସମୁଦ୍ର ପାଣି ଟାଣିନେବ। ଛତିଶଗଡ଼ରେ ମଧ୍ୟ ବର୍ଷାର ପ୍ରଭାବ କମିଛି। ତଥାପି ବିଭାଗୀୟ କର୍ମଚାରୀ ସଜାଗ ରହିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଲଘୁଚାପ ପ୍ରଭାବରେ ଶନିବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା‌ରେ ପ୍ରବଳରୁ ଅତିପ୍ରବଳ(୭୦ରୁ ୨୦୦ ମିମି) ବର୍ଷା ହେବ। ଅନ୍ୟ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରବିବାର ଓ ସୋମବାର ପୂର୍ବାହ୍ନ ସୁଦ୍ଧା କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ଭୀଷଣରୁ ଅତିଭୀଷଣ(୨୦୦ ମିମିରୁ ଅଧିକ) ବର୍ଷା ହୋଇପାରେ। ଏଥିସହ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ୭୦ରୁ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଉପକୂଳ ଜିଲ୍ଲା ସମେତ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଢେଙ୍କାନାଳ ଓ ବରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଅର୍ଥାତ ୭୦ରୁ ୧୧୦ ମିମି ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

publive-image

ଅତ୍ୟଧିକ ବର୍ଷା ଯୋଗୁଁ ସମ୍ବେଦନଶୀଳ ଅଞ୍ଚଳରୁ ମାଟି ଅତଡ଼ା ଖସିବା, ଭୂସ୍ଖଳନ, ମାଟି ଓ କଚ୍ଚା ରାସ୍ତା ନଷ୍ଟ ହେବା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଏଥିସହ ଶକ୍ତିଶାଳୀ ମୌସୁମୀବାୟୁର ପ୍ରବାହ ଓ ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳସ୍ଥିତ ଉତ୍ତର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିମି ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ୧୩ରୁ ୧୫ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ପୂର୍ବାହ୍ନ ସୁଦ୍ଧା ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୨୪ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲା ଟେନ୍‌ସାରେ ସର୍ବାଧିକ ୧୧୩.୪ ମିମି ବର୍ଷା ହୋଇଥିଲା। ଦେବଗଡ଼ ଜିଲ୍ଲାର ବାରକୋଟ୍‌ରେ ୧୧୨.୫ମିମି, ସୁନ୍ଦରଗଡ଼ର ବଣାଇଗଡ଼ରେ ୧୦୭ମିମି, ସମ୍ବଲପୁରର କୁଚିଣ୍ଡାରେ ୯୦.୩ମିମି, କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ୭୨ମିମି, ଦେବଗଡ଼ରେ ୬୬ମିମି, ହୀରାକୁଦରେ ୬୨.୪ମିମି, କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ୬୧ମିମି ବର୍ଷା ରେକର୍ଡ କାରାଯାଇଥିଲା। ଆଜି ଦିନତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।