ଉପକୂଳ ଓଡ଼ିଶା ଛୁଇଁଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଓଡ଼ିଶା ଉପକୂଳ ସ୍ପର୍ଶ କରିଛି । ଏହାର ପ୍ରଭାବରେ ଗତ କାଲି ରାତିଠାରୁ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ଏହି ଲଘୁଚାପ ଆସନ୍ତା ୪୮ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା କାଲି ସୁଦ୍ଧା ରାଜ୍ୟର ପ୍ରାୟ ୨୩ଟି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗରେ ଗତି କରି ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଆଡ଼କୁ ଯିବ । ଏହି ଲଘୁଚାପର ପ୍ରଭାବ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଓ ଗୁଜୁରାଟ ଉପରେ ମଧ୍ୟ ପଡ଼ିବ । ଏହା ଫଳରେ ଏସବୁ ରାଜ୍ୟଗୁଡ଼ିକରେ ଆଗାମୀ କିଛି ଦିନ ପର୍ୟ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ଲଘୁଚାପ ପ୍ରଭାବରେ ଅଗଷ୍ଟ ମାସରେ ଦେଖାଦେଇଥିବା ନିଅଣ୍ଟିଆ ବର୍ଷା ମଧ୍ୟ ଭରଣା ହେବାର ସମ୍ଭାବନା ରହିଛି । ସ୍କାଏମେଟ ରିପୋର୍ଟ ଅନୁସାରେ ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚଳିତ ମୌସୁମୀ ଋତୁରେ ଏପର୍ଯ୍ୟନ୍ତ (ଜୁନ ୧ରୁ ଅଗଷ୍ଟ ୧୬ ସୁଦ୍ଧା) ୧୧ ପ୍ରତିଶତ କମ ବର୍ଷା ହୋଇଛି ।

ସମ୍ବନ୍ଧିତ ଖବର