ବଙ୍ଗୋପସାଗରରେ ଲଘୁଚାପ, ଆଜିଠୁ ବର୍ଷା

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ବ୍ୟାପିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଶେଷ ଉତ୍ତର ଓ ଉପକୂଳ ଓଡ଼ିଶାରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।

ଘରୋଇ ପାଣିପାଗ ପୂର୍ବାନୁମାନ ସଂସ୍ଥା ସ୍କାଏମେଟ୍ ପକ୍ଷରୁ କୁହାଯାଇଛି ଯେ, ଗତ ସପ୍ତାହରେ ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇ ଭିଏତନାମରେ ଧ୍ବଂସଲୀଳା ରଚାଇଥିବା ବାତ୍ୟା ଡିଆମୁ ଏବେ ଦୁର୍ବଳ ହୋଇ ବଙ୍ଗୋପସାଗର ପ୍ରବେଶ କରିଛି ଓ ଏକ ଲଘୁଚାପରେ ପରିଣତ ହୋଇଛି । ଏହି ଲଘୁଚାପ ହିଁ ଓଡ଼ିଶା ମୁହାଁ ହୋଇଛି । ଗୁଲାବ ବାତ୍ୟା ପରି ଏକ ଶକ୍ତିଶାଳୀ ନହେଲେ ବି ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସ୍କାଏମେଟ୍ କହିଛି ।

ଅନ୍ୟପକ୍ଷରେ ଦକ୍ଷିଣ ଓଡ଼ିଶାରେ ଧ୍ବଂସଲୀଳା ରଚାଇଥିବା ଗୁଲାବ ବାତ୍ୟା ଏବେ ଆରବ ସାଗରରେ ପ୍ରବେଶ କରି ଏକ ଲଘୁଚାପରେ ପରିଣତ ହୋଇଛି । ଫଳରେ ବର୍ତ୍ତମାନ ଦେଶର ଉଭୟ ପୂର୍ବ ଓ ପଶ୍ଚିମ ପଟେ ଦୁଇଟି ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି ।

ସମ୍ବନ୍ଧିତ ଖବର