ଆଜି ସୃଷ୍ଟି ହେବ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା

ଭୁବନେଶ୍ବର : ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ଆନ୍ଧ୍ରପ୍ରଦେଶ ଓ ଉପକୂଳ ଓଡ଼ିଶାରେ ରବିବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏଥିସହ ରାଜସ୍ଥାନରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରଫ୍‌-ଲାଇନ୍‌ ସୃଷ୍ଟି ହୋଇଥିବାରୁ ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଲାଗି ରହିବ। ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ ନିର୍ଦ୍ଦେଶକ ଏଚ୍‌.ଆର ବିଶ୍ବାସ କହିଛନ୍ତି ଯେ ଏବେ ଓଡ଼ିଶାରେ ମୌସୁମୀ ଦୁର୍ବଳ ରହିଛି। ଯେଉଁଥିପାଇଁ ଅଧା ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହୋଇଛି। ଚଳିତ ବର୍ଷ ଜୁନ୍‌ ପହିଲାରୁ ଜୁଲାଇ ୧୦ ମଧ୍ୟରେ ୨୫୩.୯ ମିମି ହୋଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ୩୧୬.୩ ମିମି ବର୍ଷା ହେବା କଥା। କିନ୍ତୁ ଏବେ ସୁଦ୍ଧା‌ ପ୍ରାୟ ୨୦% କମ୍‌ ବର୍ଷା ରେକର୍ଡ କରାଯାଇଛି। ୧୪ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଭଦ୍ରକ, ଯାଜପୁର, ଗଜପତି ଜିଲ୍ଲାରେ ସବୁଠାରୁ ଅଧିକ ନିଅଣ୍ଟିଆ ରହିଛି। ବାକି ୧୬ଟି ଜିଲ୍ଲାରେ ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହୋଇଛି। ରବିବାର ଓଡ଼ିଶା ଉପକୂଳରେ ଏକ ଲଘୁଚାପବଳୟ ସୃଷ୍ଟି ହେବାକୁ ଥିବାରୁ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଦୁଇରୁ ତିନୋଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୧୧ ଓ ୧୩ତାରିଖରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୪ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବାକି ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଗତ ୨୪ଘଣ୍ଟା ମଧ୍ୟରେ କଟକ ଜିଲ୍ଲାର ନରାଜଠାରେ ୯୦.୮ ମିମି ବର୍ଷା ରେକର୍ଡ ହୋଇଥିବା ଶ୍ରୀ ବିଶ୍ବାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର