ନିମ୍ନମାନର ଚାଉଳ ଘଟଣା: ବ୍ୟବସ୍ଥାରେ ଅସଙ୍ଗତି; ଆଗକୁ ପୁନରାବୃତ୍ତି ଆଶଙ୍କା

ଭୁବନେଶ୍ବର : ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଚାଉଳ ମଣିଷ ଖାଇବା ଯୋଗ୍ୟ ନୁହେଁ ବୋଲି କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗର ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ କରି ରାଜ୍ୟ ଯୋଗାଣ ନିଗମର ଅଧିକାରୀମାନେ ନିଲମ୍ବିତ ହେବା ଘଟଣା କିଛିଦିନ ହେଲା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ, ନିଗମର ତଳିଆ ଅଧିକାରୀମାନଙ୍କୁ ନିଲମ୍ବନ କରି କଠୋର କାର୍ଯ୍ୟାନୁଷ୍ଠାନର ସୂଚନା ଦେଇଥିଲେ ହେଁ ଏହା ପ୍ରକୃତ ସମସ୍ୟାକୁ ସମାଧାନ କରିବାର ଏକମାତ୍ର ବାଟ ନୁହେଁ ଜଣାପଡ଼ୁଛି। ଏ ସମଗ୍ର ପ୍ରକରଣରେ ସିଏସ୍‌ଓ ଓ ଉପରସ୍ଥ ଅଧିକାରୀମାନଙ୍କ ପରୋକ୍ଷ ସଂପୃକ୍ତି ସ୍ପଷ୍ଟ ହୋଇଥିଲେ ହେଁ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ କେବଳ କାରଣ ଦର୍ଶାଅ ନୋଟିସ୍ ଦେଇ ଛାଡ଼ିଦିଆଯାଇଛି। ଏହା ପଛରେ ରହିଥିବା ମୂଳ ସମସ୍ୟାକୁ ଅଣଦେଖା କରାଯାଇଛି।

ଓଡ଼ିଶାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳର ମାନକୁ ସବୁବେଳେ ସର୍ବନିମ୍ନ ମାନ୍ୟତା ଦିଆଯାଇଥାଏ। ସଂପୂର୍ଣ୍ଣ ବ୍ୟବସ୍ଥାରେ ପ୍ରାଧାନ୍ୟ କେବଳ ଚାଉଳର ମାତ୍ରା ଏବଂ ବଣ୍ଟନର ନିର୍ଦ୍ଧାରିତ ସମୟସୀମାକୁ ଦିଆଯାଏ ଓ ସେ ନେଇ ମଧ୍ୟ ସବୁ ସ୍ତରରେ ଚେଷ୍ଟା କରାଯାଏ। ତେଣୁ ସ୍ବାଭାବିକ ଭାବେ ଖାଉଟି ଅଭିଯୋଗକୁ ଏଡ଼ାଇବା ହିଁ ମୁଖ୍ୟ ଲକ୍ଷ୍ୟ ହୋଇଥାଏ। ରାଇସ୍ ରିସିଭିଙ୍ଗ୍ ସେଣ୍ଟର୍ (ଆର୍‌ଆର୍‌ସି) ବା ଚାଉଳ ସଂଗ୍ରହ କେନ୍ଦ୍ର ଗୁଡ଼ିକରେ କାର୍ଯ୍ୟରତ କ୍ବାଲିଟି ଆନାଲିଷ୍ଟ ମାନଙ୍କ ଆନାଲିସିସ୍‌ ରିପୋର୍ଟ ଏବଂ ତାଙ୍କ ମତକୁ କେହି ଖାତିର କରନ୍ତି ନାହିଁ। ପ୍ରକ୍ୟୁରମେଣ୍ଟ ଇନିସପେକ୍ଟର ହେଉଛନ୍ତି ଆର୍‌ଆର୍‌ସିର ଇନ୍‌ଚାର୍ଯ। ବ୍ୟବସ୍ଥା ଏପରି ହୋଇଛି ଯେ, କ୍ବାଲିଟି ଆନାଲିଷ୍ଟ ଭୁଲ ବୋଲି କହି ରିପୋର୍ଟ ଦେଲେ ମଧ୍ୟ ପ୍ରକ୍ୟୁରମେଣ୍ଟ ଇନିସପେକ୍ଟର ଚାହିଁଲେ ନିମ୍ନମାନର ଚାଉଳ ରଖିପାରିବେ। ଭାରତୀୟ ଖାଦ୍ୟ ନିଗମର ପ୍ରଯୁକ୍ତି ବା ବୈ‌ଷୟିକ ଅଧିକାରୀ(ଟେକ୍‌ନିକାଲ୍ ଅଫିସର୍ ବା ଟିଓ)ମାନେ ଯେପରି ସ୍ବାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଆନ୍ତି, ଆର୍‌ଆର୍‌ସିରେ କ୍ବାଲିଟି ଆନାଲିଷ୍ଟ ମାନଙ୍କ କ୍ଷେତ୍ରରେ ପ୍ରାୟତଃ ତାହା ନାହିଁ। ଏଫ୍‌ସିଆଇରେ ଟିଓମାନଙ୍କୁ ଯଥେଷ୍ଟ ଗୁରୁତ୍ବ ଦିଆଯାଉଥିବାରୁ ସେଠାରେ ଚାଉଳର ମାନ ବଜାୟ ରହୁଥିବା ଦେଖାଯାଉଛି।

ଯୋଗାଣ ନିଗମର ସମସ୍ତ ନିଷ୍ପତ୍ତି ଏଫ୍‌ସିଆଇର ମାର୍ଗଦର୍ଶିକା ଏବଂ ପରାମର୍ଶ ଅନୁସାରେ ନିଆଯାଉଥିବା କହାଯାଏ। ସୂଚନାଯୋଗ୍ୟ, ୨୦୧୧ ମସିହାରେ ଏହି ସଂସ୍ଥାରେ ୪ଟି ନୂତନ ପଦବି ସୃଷ୍ଟି କରାଗଲା। ସେଗୁଡ଼ିକ ହେଲା ପ୍ରକ୍ୟୁରମେଣ୍ଟ ଇନିସପେକ୍ଟର, କ୍ବାଲିଟି ଆନାଲିଷ୍ଟ, ଏସ୍‌ଏ-କମ୍-ଡିଇଓ ଏବଂ କନିଷ୍ଠ ସହାୟକ। ସେତେବେଳେ କ୍ବାଲିଟି ଆନାଲିଷ୍ଟମାନଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ସେମାନେ ରଖିଥିବା ଶତକଡ଼ା ମାର୍କ ପ୍ରକ୍ୟୁରମେଣ୍ଟ ଇନିସପେକ୍ଟର ମାନଙ୍କଠୁୁ ଅଧିକ ରଖା ହେଇଥିଲା। କେବଳ ଶତକଡ଼ା ୬୦ରୁ ଊର୍ଦ୍ଧ୍ବ ନମ୍ବର ରଖି ପାସ୍ କରିଥିବା ବିଜ୍ଞାନ ଗ୍ରାଜୁଏଟ୍‌ଙ୍କୁ କ୍ବାଲିଟି ଆନାଲିଷ୍ଟ ପଦବିରେ ନିଯୁକ୍ତିର ବ୍ୟବସ୍ଥା ଥିବାବେଳେ ମାତ୍ର ୫୦% ନମ୍ବର ରଖିଥିବା ଯେ କୋୖଣସି ଗ୍ରାଜୁଏଟ୍ ପ୍ରକ୍ୟୁରମେଣ୍ଟ ଇନିସପେକ୍ଟର ହୋଇପାରିବାର ବ୍ୟବସ୍ଥା ହୋଇଥିଲା। ଓଡ଼ିଶା ସରକାରଙ୍କ  ଅର୍ଥ ବିଭାଗ କିନ୍ତୁ ଗୋଟିଏ ପଦକୁ ନିୟମିତ କରି ଅନ୍ୟ ୩ଟି ପଦକୁ ଚୁକ୍ତିଭିତ୍ତିକ କରିବା ପାଇଁ ସ୍ବୀକୃତି ଦେଲେ। ଯେହେତୁ ପ୍ରକ୍ୟୁରମେଣ୍ଟ ଇନିସପେକ୍ଟର ସଂପୃକ୍ତ ବିଭାଗର ଦାୟିତ୍ବରେ ରହନ୍ତି, ସେମାନଙ୍କୁ ପ୍ରଥମରୁ ନିୟମିତ କରାଗଲା।

ଅନ୍ୟ ପକ୍ଷରେ ଏଫ୍‌ସିଆଇର ଟିଓ ଓ ଡିପୋ ମ୍ୟାନେଜର ଉଭୟଙ୍କ ଦରମା ହାର ସମାନ। ଅନୁରୂପ ଢାଞ୍ଚାରେ ଯୋଗାଣ ନିଗମର ପ୍ରକ୍ୟୁରମେଣ୍ଟ ଇନିସପେକ୍ଟରଙ୍କ ପରି ସମାନ ଦରମା ହାରରେ କ୍ବାଲିଟି ଆନାଲିଷ୍ଟ ରହିବା ନେଇ ଏଫ୍‌ସିଆଇ ମୁଖ୍ୟ ମଧ୍ୟ ମତ ଦେଇଥିଲେ। ହେଲେ କ୍ବାଲିଟି ଆନାଲିଷ୍ଟ ମାନଙ୍କୁ ଏହାର ତଳ ଦରମା ହାରରେ ନିୟମିତ କରାଯାଇଥିଲା। ଏ ସମସ୍ତ ଅସଙ୍ଗତିକୁ ଦେଖି ୨୦୧୭ ମସିହାରେ ଯୋଗାଣ ନିଗମର ସମସ୍ତ କର୍ମଚାରୀ ମାନଙ୍କ ପାଇଁ ଏକ ଢାଞ୍ଚାଗତ ପୁନର୍ଗଠନର ଯୋଜନା କରାଯାଇଥିଲା। ସେଥିରେ ସବୁ ପଦ‌ ପାଇଁ ପଦୋନ୍ନତିର ବ୍ୟବସ୍ଥା ରହିବାର ପ୍ରସ୍ତାବ ରଖାଗଲା। ଗ୍ରେଡେସନ୍ ତାଲିକା ମଧ୍ୟ ପ୍ରସ୍ତୁତ କରାଗଲା। କିନ୍ତୁ ଏ ଯାଏ ସେଇ ଯୋଜନା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ।

ବର୍ତ୍ତମାନ ସମୟରେ ଯେତେବେଳେ ଚାଉଳର ମାନକୁ ନେଇ ଏତେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ସେତେବେଳେ ତଥ୍ୟାଭିଜ୍ଞ ମହଲରେ ଏକ ପ୍ରଶ୍ନ ଉଠୁଛି। ଯୋଗାଣ ନିଗମରେ କ୍ବାଲିଟି ବିଶେଷଜ୍ଞମାନଙ୍କୁ ପୂର୍ବଭଳି ଏମିତି ଅଣଦେଖା କରିଚାଲିଲେ ଆଗକୁ ଏପରି ବିବାଦୀୟ ପରିସ୍ଥିତିର ପୁନରାବୃତ୍ତି ହେବା ନିଶ୍ଚିତ। ୨୦୧୭ର ସେହି ପ୍ରସ୍ତାବିତ ଢାଞ୍ଚାକୁ କାର୍ଯ୍ୟକାରୀ କଲେ ଆଗକୁ ଏପରି ପରିସ୍ଥିତି ଏଡ଼ାଇବା ଦିଗରେ ଏହା ଯଥେଷ୍ଟ ସହାୟକ ହେବ ବୋଲି ମତପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର