ଧୂଳିରେ ମିଶିଲା ୪୫ ଲକ୍ଷ ଟଙ୍କା, ଆଙ୍ଗୁଠି ଗେଞ୍ଜିଲେ ରାସ୍ତାରୁ ଉଠି ଯାଉଛି ପିଚୁ

ବୌଦ୍ଧ : ନିର୍ଦ୍ଧାରିତ ଦୁଇମାସରେ କାମ କଲେ ନାହିଁ। ନିର୍ମାଣ ଅବଧି ଶେଷ ହେବା ଦୁଇ ମାସ ପରେ ତରବରିଆ ଭାବରେ କାମ ସାରିଦେଲେ। ରାତି ଦିନ ଏକ କରି ତିନି ଦିନରେ ସରିଗଲା ୨ କିଲୋମିଟରର ପିଚୁ ରାସ୍ତା। ଏବେ ତିନି ଦିନ ପରେ ଯାନ ବାହନ ଯାତାୟାତ ପାଇଁ ନିର୍ମାଣ ହୋଇଥିବା ରାସ୍ତାରେ ଆଙ୍ଗୁଠି ଗେଞ୍ଜିଲେ ପିଚୁ ଉଠି ଯାଉଛି। ସରକାରଙ୍କ ୪୫ ଲକ୍ଷ ଟଙ୍କା ପାଣିରେ ପଡ଼ିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ବୌଦ୍ଧରୁ ବଢ଼ିଗାଁ-କମିରା ରାସ୍ତାରେ ଘେରାଏ ବୁଲି ଆସିଲେ ଯେକେହି ଏହା ହୃଦୟଙ୍ଗମ କରିବ। ସମଗ୍ର ରାସ୍ତାର ପିଚୁ କାଢ଼ି ନୂତନ ଭାବରେ ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଅଭିଯୋଗ ଅନୁସାରେ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ବଢ଼ିଗାଁ-କମିରା ରାସ୍ତାର ସାଲୁଙ୍କି ନଦୀ ସେତୁ ଠାରୁ କମିରା ଗାଁ ପର୍ଯ୍ୟନ୍ତ ପ୍ରାୟ ଦୁଇ କିମି ରାସ୍ତାର ପୁନରୁଦ୍ଧାର କରାଯାଇଛି। ୪୫ ଲକ୍ଷ ୫ହଜାର ୮୧୨ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ରାସ୍ତା ୨୫.୧.୨୦୨୦ରେ ଆରମ୍ଭ ହୋଇ ୨୪.୧.୨୦୨୧ରେ ଶେଷ ହେବାର ଥିଲା। ରାସ୍ତା ଆରମ୍ଭରୁ ତାର ଗୁଣବତ୍ତା ଜଣାପଡ଼ୁଛି। ସମଗ୍ର ପୁରୁଣା ରାସ୍ତାକୁ ଖୋଳି ତଳେ ମେଟାଲ ବିଛାଇବା ନିୟମ ରହିଥିଲେ ସୁଦ୍ଧା ସେତୁ ନିକଟରୁ ପ୍ରାୟ ଦୁଇ ଶହ ମିଟର ପୁରୁଣା ରାସ୍ତା ଉପରେ ପିଚୁ ଓ ଚିପ୍‌ସ ମିଶ୍ରଣ ଢଳେଇ କରାଯାଇଛି। ପିଚୁ କରିବା ପୂର୍ବରୁ ପ୍ରାଇମର ସିଞ୍ଚନ କରାଯାଇ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଥି ସହିତ ପିଚୁ ଢଳେଇ ମଧ୍ୟ ସବୁ ସ୍ଥାନରେ ସମାନ ପରିମାଣରେ ହୋଇ ନାହିଁ। ନିମ୍ନମାନର କାମ ଯୋଗୁଁ ଢଳେଇର ତିନି ଦିନ ପରେ ପିଚୁ ଉଠି ଗଲାଣି।

ଏ ବିଷୟରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କିଷାନଙ୍କୁ ପଚାରିବାରେ କାମ ଚାଲିବା ବେଳେ ପେର୍ଭ ମେସିନ ଖରାପ ହେବା ଯୋଗୁଁ ମିଶ୍ରଣ ଅନେକ ସମୟ ପଡ଼ି ରହିଥିଲା। ସେଥିପାଇଁ କିଛି ସ୍ଥାନରେ ପିଚୁ ଉଠି ଯାଉଛି। ପିଚୁ ଉଠି ଯାଇଥିବା ସ୍ଥାନ ମିଶ୍ରଣ କାଢ଼ି ପୁଣି ନୂତନ ଭାବରେ କାମ ହେବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର