ରାଜ୍ୟରେ ନିମ୍ନମାନର ସାଲାଇନ୍, କମ୍ପାନିକୁ କଳା ତାଲିକାଭୁକ୍ତ କଲା ଔଷଧ ନିଗମ
ଡାକ୍ତରଖାନାକୁ ଯୋଗାଣ ହୋଇନି: କର୍ତୃପକ୍ଷ
ଭୁବନେଶ୍ୱର: ରାଜ୍ୟକୁ ଆସିଛି ଭେଜାଲ ସାଲାଇନ୍। ରାଜ୍ୟ ଔଷଧ ନିଗମ ଜରିଆରେ ‘ନିରାମୟ’କୁ ଯୋଗାଣ ପାଇଁ ଆସିଥିବା ସାଲାଇନ୍ ନିମ୍ନମାନର ବୋଲି ଜଣାପଡ଼ିଛି। ଏ ନେଇ ନିଗମ ପକ୍ଷରୁ ସଂପୃକ୍ତ କମ୍ପାନିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହିତ କଳାତାଲିକାଭୁକ୍ତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଫଳରେ ଆସନ୍ତା ୩ବର୍ଷ ପାଇଁ ଏହି କମ୍ପାନି ନିଗମର କୌଣସି ଟେଣ୍ଡର୍ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବ ନାହିଁ ବୋଲି ଜଣାପଡ଼ିଛି। ତେବେ ଏହି ନିମ୍ନମାନର ସାଲାଇନ୍ କୌଣସି ଡାକ୍ତରଖାନାକୁ ଯୋଗାଣ ହୋଇ ନ ଥିବା ଔଷଧ ନିଗମ ପକ୍ଷରୁ କୁହାଯାଇଛି। ୨୦୧୬/୧୭ବର୍ଷରେ ‘ନିରାମୟ’କୁ ସାଲାଇନ୍ ଯୋଗାଇବା ପାଇଁ ଟେଣ୍ଡର୍ ହୋଇଥିଲା। ଏଥିରେ ୫୦୦ ମିଲି ସାଲାଇନ୍ ପାଇଁ ଗୁଜୁରାଟର ଏକ୍ୟୁଲାଇଫ ନାମକ ଏକ କମ୍ପାନି ଟେଣ୍ଡର ନେଇଥିଲା। ଏହି କମ୍ପାନିକୁ ଆଇ ଭି କମ୍ପାଉଣ୍ଡ ସୋଡିୟମ ଲାକ୍ଟେଟ୍(ରିଞ୍ଜର୍ସ ଲାକ୍ଟେଟ୍) ସହିତ ଆଇ ଭି ଡେକ୍ସଟ୍ରୋଜ୍ ଏବଂ ସୋଡିୟମ କ୍ଲୋରାଇଡ୍ ଯୋଗାଇବା ପାଇଁ ଟେଣ୍ଡର ନେଇଥିଲା। ତେବେ ଏକ୍ୟୁଲାଇଫ୍ କମ୍ପାନି ପକ୍ଷରୁ ଗତବର୍ଷ ପ୍ରସ୍ତୁତ ହୋଇଥିବା ସାଲାଇନ୍ର ୭ଟି ବ୍ୟାଚ୍ ନିମ୍ନମାନର ବା ଏନ୍ଏସକ୍ୟୁ ଆସିଥିବା ନିଗମ ପକ୍ଷରୁ ପରୀକ୍ଷା ସମୟରେ ଜଣାପଡ଼ିଥିଲା। ସାଲାଇନର ଅବଧି ସୀମା ବା ଏକ୍ସପ୍ୟାରି ତାରିଖ ୨୦୨୦ ମସିହା ପର୍ଯ୍ୟନ୍ତ ରହିଥିଲେ ହେଁ, ଏଥିରେ ଆବଶ୍ୟକ ଔଷଧୀୟ ସାମଗ୍ରୀ ଯଥେଷ୍ଟ କମ୍ ରହିଥିବା ପରୀକ୍ଷାରେ ସାମ୍ନାକୁ ଆସିଥିଲା। ଗତ ୩/୪ ମାସ ତଳେ ଏହି ନିମ୍ନମାନର ସାଲାଇନ୍ ସଂପର୍କରେ ନିଗମ କର୍ତୃପକ୍ଷ ଜାଣିବାକୁ ପାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ଔଷଧ ନିଗମର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିଗମକୁ କୌଣସି ଔଷଧ ଆସିବା ପରେ ପ୍ରଥମେ ଏହାର ପରୀକ୍ଷା କରାଯାଇଥାଏ। ଗୁଜୁରାଟ ଏକ୍ୟୁଲାଇଫ୍ କମ୍ପାନି ଏହି ସାଲାଇନ୍ ରାଜ୍ୟକୁ ଆସିବା ପରେ ଏହାର ପରୀକ୍ଷା କରାଯାଇଥିଲା। ଗୋଟିଏ ପରୀକ୍ଷାଗାରରେ ଏହା ନିମ୍ନମାନର ବୋଲି ଜଣାପଡ଼ିବା ପରେ ଆଉ ଏକ ଏନ୍ଏବିଏଲ୍ ପରୀକ୍ଷାଗାରକୁ ପଠାଯାଇଥିଲା। ସେଠାରେ ମଧ୍ୟ ଏହି କମ୍ପାନିର ସାଲାଇନ୍ ନିମ୍ନମାନର ବୋଲି ସ୍ପଷ୍ଟ ହୋଇଥିଲା। କମ୍ପାନିର ଏକାଧିକ ବ୍ୟାଚ୍ର ସାଲାଇନ୍ ନିମ୍ନମାନର ରହିଥିଲା। ୨ରୁ ଅଧିକ ବ୍ୟାଚ୍ର ଔଷଧ ନିମ୍ନମାନର ରହିଲେ ନିଗମ ପକ୍ଷରୁ ଏହାକୁ କଳାତାଲିକାଭୁକ୍ତ କରିବା ପାଇଁ ନିୟମ ଥିବାରୁ ଏହି ଆଧାରରେ କମ୍ପାନିକୁ କଳାତାଲିକାଭୁକ୍ତ କରାଯାଇଛି। ଏହି କମ୍ପାନିର କୌଣସି ସାଲାଇନ୍ ଡାକ୍ତରଖାନାକୁ ଯୋଗାଣ ହୋଇନାହିଁ। ଏକ୍ୟୁଲାଇଫ୍ କମ୍ପାନି ବ୍ୟତିତ ଅନ୍ୟ କମ୍ପାନିମାନେ ମଧ୍ୟ ରାଜ୍ୟରେ ସାଲାଇନ୍ ଯୋଗାଉଛନ୍ତି। ତେଣୁ ରାଜ୍ୟରେ ସାଲାଇନ୍ର ଅଭାବ ହେବ ନାହିଁ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।