ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଛତୁଆ ନିମ୍ନମାନର ଏବଂ ଏହାର ଯୋଗାଣ ଓ ବଣ୍ଟନରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହେଉଥିଲେ ହେଁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ୨୦୨୩ ମସିହାରେ ୬ଟି ଏସ୍ଏଚ୍ଜିର ଛତୁଆ ନମୁନା ଲ୍ୟାବ୍ରେ ପରୀକ୍ଷା ପରେ ନିମ୍ନମାନର ଥିବା ରିପୋର୍ଟ ଆସିଥିଲା। ଏପରିକି ଗତ ୭ ବର୍ଷ ଧରି ଛତୁଆ ଯୋଗାଣର ଅଡିଟ୍
ମଧ୍ୟ ହୋଇ ନାହିଁ।
ସୂଚନା ଅନୁସାରେ, ଜିଲ୍ଲାରେ ପ୍ରତି ମାସରେ ପ୍ରାୟ ୯ କୋଟି ଟଙ୍କାର ଛତୁଆ ବଣ୍ଟନ ହେଉଛି। ଏବେ ମଧ୍ୟ ଜିଲ୍ଲାରେ ଅପପୁଷ୍ଟିର ଶିକାର ହୋଇ ୪୩୪ ଜଣ ଶିଶୁ ରେଡ୍ ଜୋନ୍ରେ ଏବଂ ୩୭୬୧ ଜଣ ଶିଶୁ ୟେଲୋ ଜୋନ୍ରେ ଥିବା ସରକାରୀ ଭାବେ ଜଣାପଡ଼ିଛି। ଭବାନୀପାଟଣା ସହରାଞ୍ଚଳରେ ୮ ଜଣ ରେଡ୍ ଜୋନ୍, ୧୪୪ ଜଣ ୟେଲୋ ଜୋନ୍, ଭବାନୀପାଟଣା ସଦର ବ୍ଲକ୍ରେ ୫୪ ଜଣ ରେଡ୍ ଜୋନ୍ ଓ ୩୪୫ ୟେଲୋ ଜୋନ୍, ଧର୍ମଗଡ଼ ବ୍ଲକ୍ରେ ୧୧ ଜଣ ରେଡ୍ ଜୋନ୍ ଓ ୨୪୦ ଜଣ ୟେଲୋ ଜୋନ୍, ଗୋଲାମୁଣ୍ଡା ବ୍ଲକ୍ରେ ୩୩ ଜଣ ରେଡ୍ ଜୋନ୍ ଓ ୪୩୬ ଜଣ ୟେଲୋ, ଜୟପାଟଣା ବ୍ଲକ୍ରେ ୩୦ ରେଡ୍ ଜୋନ୍, ୩୬୪ ଜଣ ୟେଲୋ, ଜୁନାଗଡ଼ ବ୍ଲକ୍ରେ ୬୧ ଜଣ ରେଡ୍, ୪୩୯ ଜଣ ୟେଲୋ, କଲମପୁର ବ୍ଲକ୍ରେ ୬ ଜଣ ରେଡ୍ ଓ ୧୦୮ ଜଣ ୟେଲୋ, କର୍ଲାମୁଣ୍ଡା ବ୍ଲକ୍ରେ ୧୪ ଜଣ ରେଡ୍ ଓ ୧୨୪ ଜଣ ୟେଲୋ, କେସିଙ୍ଗା ବ୍ଲକ୍ରେ ୨୫ ଜଣ ରେଡ୍ ଓ ୩୦୧ ଜଣ ୟେଲୋ, କୋକସରା ବ୍ଲକ୍ରେ ୩୯ ରେଡ୍ ଓ ୨୭୦ ଜଣ ୟେଲୋ, ଲାଞ୍ଜିଗଡ଼ ବ୍ଲକ୍ରେ ୫୯ ରେଡ୍ ଓ ୩୩୯ ୟେଲୋ, ମ.ରାମପୁର ବ୍ଲକ୍ରେ ୧୭ ରେଡ୍, ୧୩୧ ଜଣ ୟେଲୋ, ନର୍ଲା ବ୍ଲକ୍ରେ ୩୦ ଜଣ ରେଡ୍, ୧୮୦ ଜଣ ୟେଲୋ, ଥୁଆମୂଳ ରାମପୁର ବ୍ଲକ୍ରେ ୪୭ ଜଣ ରେଡ୍ ଓ ୩୩୬ ଜଣ ୟେଲୋ ଜୋନ୍ରେ ଥିବା ସୂଚନା ମିଳିଛି।
୪୩୪ ଶିଶୁ ରେଡ୍, ୩୭୬୧ ଜଣ ୟେଲୋ ଜୋନ୍ରେ
୭ ବର୍ଷ ଧରି ଛତୁଆ ଯୋଗାଣର ହୋଇନି ଅଡିଟ୍
ଜିଲ୍ଲାରେ ଅଙ୍ଗନବାଡ଼ିଗୁଡ଼ିକରେ ସମୁଦାୟ ୧ ଲକ୍ଷ ୨୩ ହଜାର ୨୪୮ ଜଣ ଶିଶୁ ଥିବା ବେଳେ ୧ ଲକ୍ଷ ୧୮ ହଜାର ୮୧ ଜଣ ସାଧାରଣ ସ୍ଥିତିରେ ଅଛନ୍ତି। ୬ ମାସରୁ ୫ ବର୍ଷ ମଧ୍ୟରେ ଥିବା ୪୩୪ ଜଣ ଶିଶୁ ରେଡ୍ ଜୋନ୍ରେ ଅଛନ୍ତି। ଏହା ସମୁଦାୟ ଶିଶୁଙ୍କ ୦.୪% ଅଟେ। ସେହିଭଳି ୟେଲୋ ଜୋନ୍ରେ ସମୁଦାୟ ୩୭୬୧ ଜଣ ଶିଶୁ ଅଛନ୍ତି। ଜିଲ୍ଲାରେ ୨୨ଟି ଏସ୍ଏଚ୍ଜି ମାଧ୍ୟମରେ ଛତୁଆ ବଣ୍ଟନ ହେଉଥିବାବେଳେ ମାସକୁ ପ୍ରାୟ ୯ କୋଟିରୁ ଅଧିକ ଟଙ୍କାର ବିଲ୍ ହୋଇଥାଏ। କିନ୍ତୁ, ଗତ ୨୦୧୮-୧୯ ଆର୍ଥିକ ବର୍ଷରୁ ଆଜି ପର୍ଯ୍ୟନ୍ତ ଛତୁଆ ବାବଦରେ କୌଣସି ଅଡିଟ୍ ହୋଇ ନଥିବା ତଦନ୍ତସାପେକ୍ଷ। ୨୦୨୩ ମସିହାରେ ଲ୍ୟାବ୍ ପରୀକ୍ଷାରୁ ୬ଟି ଏସ୍ଏଚ୍ଜିର ଛତୁଆ ନିମ୍ନମାନର ଥିବା ରିପୋର୍ଟ ମିଳିଥିଲା। ଏ ନେଇ ବିଭାଗ ପକ୍ଷରୁ କାରଣଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଶୂନ ଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ପଚାରିବାରୁ ୨୦୨୩ ମସିହାରେ ୬ଟି ଏସ୍ଏଚ୍ଜିର ନମୁନା ନିମ୍ନମାନର ଥିଲା, ସେମାନଙ୍କୁ ନୋଟିସ୍ ଦିଆଯାଇଥିବା ସେ କହିଥିଲେ।