ଯାଜପୁର/ ସଦର: ଦୁଇବର୍ଷ ତଳେ ଗୁପ୍ତ ଟେଣ୍ଡର ଜରିଆରେ ଅସାଧୁମେଣ୍ଟ କାମ ବାଣ୍ଟିଥିଲେ। ନିମ୍ନମାନର କାମ ଯୋଗୁଁ ଏବେ ୨.୪ କୋଟି ଟଙ୍କାର ପାଚେରି ଫାଟି ଆଁ କଲାଣି। ଲଗାଣ ବର୍ଷାରେ କେତେବେଳେ ବି ଏହା ଭୁଶୁଡ଼ି ପଡ଼ିବ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରୁଛନ୍ତି। ଯାଜପୁର ମୁଖ୍ୟ କେନାଲ ପାର୍ଶ୍ବରେ ଚେକ୍ଗେଟ ଠାରୁ ମୋକେଇପୁର ପର୍ଯ୍ୟନ୍ତ ପ୍ରାୟ ଅଢ଼େଇ କିମି ଲମ୍ବର ସୁରକ୍ଷା ପାଚେରି ନିର୍ମାଣ କରାଯାଇଥିଲା। ପୂର୍ତ୍ତ ବିଭାଗ ପାଣିକୋଇଲି ଡିଭିଜନ୍ ଅଧୀନରେ ୨କୋଟି ୪୦ଲକ୍ଷ ଟଙ୍କାର ଏହି କାମକୁ ଖୋଲା ଟେଣ୍ଡର କରା ନଯାଇ ପ୍ରଭାବଶାଳୀ ନେତାଙ୍କ କଥାରେ ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁମେଣ୍ଟ ୪୯ ଭାଗ କରି ମନପସନ୍ଦର ଠିକାଦାରଙ୍କୁ ବାଣ୍ଟି ଦେଇଥିଲେ। ଏହାକୁ ନେଇ ସେତେବେଳେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ହେଲେ ବିଭାଗୀୟ ଅଧିକାରୀ କୌଣସି ଗୁରୁତ୍ବ ଦେଇ ନଥିଲେ। ମାତ୍ର ଏହି ସୁରକ୍ଷା ପାଚେରି ୨ବର୍ଷ ବି ଗଲା ନାହିଁ।
ପାଚେରି କାନ୍ଥର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଫାଟ ସୃଷ୍ଟି ହୋଇଛି। ଏପରିକି କିଛି ସ୍ଥାନରେ ଦବିଗଲାଣି। ଏହି ପାଚେରି କେଉଁ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିଲା? ତାହାକୁ ନେଇ ଅଞ୍ଚଳବାସୀ ଅନ୍ଧାରରେ ଅଛନ୍ତି। ଏହାକୁ ନିର୍ମାଣ କରିବା ପରେ ରଙ୍ଗ ମାରିବା ନାମରେ ବି ବିପୁଳ ଅର୍ଥ ବ୍ୟୟ କରାଯାଇଛି। ଏହିଭଳି ଭାବେ ୫ବର୍ଷରେ ଶହଶହ କୋଟି ଟଙ୍କାର ପ୍ରକଳ୍ପକୁ ଗୁପ୍ତଟେଣ୍ଡର ଜରିଆରେ ଭାଗ କରି ଯନ୍ତ୍ରୀ ଓ ଠିକାଦାର ମାଲାମାଲ ହୋଇଥିବା ବେଳେ ସରକାର କୋଟିକୋଟି ଟଙ୍କା ରାଜସ୍ବ ହରାଇଛନ୍ତି।
ରାଜ୍ୟର ବିକାଶ ମଡେଲ କୁହାଯାଉଥିବା ଯାଜପୁରରେ ଶହଶହ କୋଟି ଟଙ୍କା ଅନୁଦାନରେ ଅନେକ ବୃହତ୍ ପ୍ରକଳ୍ପ ନିର୍ମାଣ କାମ ଆଗେଇ ଚାଲିଛି। ଏହି କାର୍ଯ୍ୟଗୁଡ଼ିକର ଦାୟିତ୍ବ ମୁଖ୍ୟତଃ ପୂର୍ତ୍ତ ବିଭାଗ ଦ୍ବାରା ପରିଚାଳିତ ହେଉଛି। ୫ ବର୍ଷରେ ପୂର୍ତ୍ତ ବିଭାଗ ପାଣିକୋଇଲି ଡିଭିଜନକୁ ୨୨୧୫କୋଟି ୭୧ଲକ୍ଷ ଟଙ୍କା ଅନୁଦାନ ସରକାର ଯୋଗାଇ ଦେଇଛନ୍ତି। କୋଟିକୋଟି ଟଙ୍କା ପ୍ରକଳ୍ପକୁ ଗୁପ୍ତଟେଣ୍ଡର ଜରିଆରେ ଠିକାଦାର ଓ ଯନ୍ତ୍ରୀଙ୍କ ଅସାଧୁମେଣ୍ଟ ଭାଗବାଣ୍ଟି ନେଇଛନ୍ତି। ଅତି ନିମ୍ନମାନର କାମ ଯୋଗୁଁ ବର୍ଷେ ଦୁଇବର୍ଷରେ କେତେକ ପ୍ରକଳ୍ପ କାମ ନଷ୍ଟ ହୋଇଯାଉଛି। ଏହି ସବୁ କାମର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରିବ ବୋଲି ଦାବି ହେଉଛି।