ସମରା ୫-ଟି ସ୍କୁଲରେ ନିମ୍ନ ମାନର କାମ, ଗ୍ରାମବାସୀଙ୍କ ହୋହଲ୍ଲା, ଦାବିପତ୍ର ପ୍ରଦାନ

ତୁଷୁରା: ସମରା ସରକାରୀ ହାଇସ୍କୁଲରେ ୫-ଟି ଯୋଜନାରେ ଚାଲିଥିବା ରୂପାନ୍ତରଣ କାମ ନିମ୍ନ ମାନର ହୋଇଥିବା ନେଇ ଗୁରୁବାର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଗ୍ରାମବାସୀ ତାତିଛନ୍ତି। ଗୁରୁବାର ସେମାନେ ସ୍କୁଲକୁ ଯାଇ ହୋହଲ୍ଲା କରିଥିଲେ। ନିମ୍ନ ମାନର କାମକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ କାଲୋଙ୍କ ସହ ଯୁକ୍ତିତର୍କ କରିବା ସହ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବିପତ୍ରରେ ଦର୍ଶାଯାଇଛି ଯେ ଉକ୍ତ ସ୍କୁଲର ସମସ୍ତ କାମ ନିମ୍ନ ମାନର ହେଉଛି। ଛାତଗୁଡ଼ିକରେ ଫାଟ ସୃଷ୍ଟି ହେଲାଣି। ପାନୀୟ ଜଳ ଖରାପ ବ୍ୟବସ୍ଥା ରହିଛି। ସାଇକଲଷ୍ଟାଣ୍ତ ଅସଂପୂର୍ଣ୍ଣ ହୋଇରହିଛି। ପୁରୁଣା ଛାତକୁ ମରାମତି କରାନଯାଇ ସ୍କୁଲରେ ଛାତ ଓ ଛାୟାଗୁଡ଼ିକ ଉପରେ ପାଣି ଲିକେଜ ନହେବା ପାଇଁ ୱାଟର୍‌ପ୍ରୁଫ୍‌ ସିଟ୍‌ ଲଗାଯାଇଛି।

ଯାହାକି ନିମ୍ନ ମାନର ହୋଇଥିବାରୁ ତାହା ଏବେ ଖୋଳିଗଲାଣି। ଏହା ସହ ସମସ୍ତ କାମ ଉନ୍ନତ ମାନର ହେଉ ଏବଂ ସପୂର୍ଣ୍ଣ ହେଲା ପରେ ଉଦ୍‌ଘାଟନ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ଉକ୍ତ ସ୍କୁଲର ଛାୟାରେ ଲଗାଯାଇଥିବା ୱାଟର୍‌ପ୍ରୁଫ୍‌ ସିଟ୍‌ ଖୋଳିଯାଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ଏବେ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଅନ୍ୟପକ୍ଷରେ ବିଡିଓ ଉଚ୍ଚ ମାନର ସାମଗ୍ରୀ ଲାଗିଥିବା କହୁଥିବା ବେଳେ ସାମଗ୍ରୀ ନିମ୍ନ ମାନର ହେଲା କିପରି ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ବିଡିଓ ନିଜେ ଉକ୍ତ ସ୍କୁଲର ତଦାରଖ କରୁଥିଲେ ମଧ୍ୟ ନିକୃଷ୍ଟ କମ୍ପାନିଗୁଡ଼ିକର ସାମଗ୍ରୀ ଲଗାଯାଇଥିବାରୁ ଏପରି ଅବସ୍ଥା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏହି ଦାବିପତ୍ର ଦେବା ସମୟରେ ସମରା ଗ୍ରାମର ବହୁ ଯୁବକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର