ଭୁବନେଶ୍ବର: ରାଜ୍ୟ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ହେଉ କି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବ। ଏହା ମୁଖ୍ୟତଃ ରାଜଭବନ ପରିସରରେ ହୁଏ। ରାଜଭବନ ପରିସରରେ ଥିବା ହଲ୍ ଛୋଟ ପଡ଼ିବାରୁ ପ୍ରାୟ ୨ହଜାର ଅତିଥି ବସିବା ଭଳି ନୂଆ ଅଭିଷେକ ହଲ୍ ନିର୍ମାଣ କରାଯାଇଛି। କିନ୍ତୁ ବିଡ଼ମ୍ବନାର ବିଷୟ ଏଠାରେ ଏବେ ଶପଥ ଗ୍ରହଣ ଉତ୍ସବ ହୋଇପାରୁନି। ପ୍ରାୟ ୨୪କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ନୂଆ ଅଭିଷେକ ହଲ୍ର ଟାଇଲ୍ ଉଠି ଯାଉଥିବାବେଳେ ଅଧିକାଂଶ ସମୟରେ ଏସି ଓ ସାଉଣ୍ଡ ସିଷ୍ଟମ କାମ କରୁନି। ଏହି ହଲ୍ରେ ନିମ୍ନମାନର କାମ ହୋଇଥିବାରୁ ଏହାର ରକ୍ଷଣାବେକ୍ଷଣ ବାବଦକୁ ବହୁ ଅର୍ଥ ଖର୍ଚ୍ଚ ହେଉଛି। ଏହାର ତଦନ୍ତ କରି ଆବଶ୍ୟକ ମରାମତି କରିବାକୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଗତ ମାର୍ଚ୍ଚ ମାସରେ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ(କୋଠାବାଡ଼ି)ଙ୍କୁ ଚିଠି ଲେଖିଥିଲେ। ତିନି ମାସ ତଳେ ଶ୍ରୀ ମିଶ୍ର ଏହି ଚିଠି ଲେଖିଥିବାବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ମରାମତି କରାଯାଇଛି। ସୋମବାର ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବାବେଳେ ଅଧିକ ଜନସମାବେଶକୁ ନଜରରେ ରଖି ଏହାକୁ ଜନତା ମଇଦାନରେ କରାଯାଉଛି। ହେଲେ ଏହି ଚିଠିରେ ରାଜଭବନ ପକ୍ଷରୁ ଯେଉଁ ସବୁ ପ୍ରସଙ୍ଗ ଉଠାଯାଇଛି ତାହା ଉଦ୍ବେଗର ବିଷୟ।
ଶ୍ରୀ ମିଶ୍ର କହିଛନ୍ତି ଯେ ଏହି ନୂଆ ଅଭିଷେକ ହଲ୍ରେ ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଯଥା ବିଭିନ୍ନ ଶପଥ ଗ୍ରହଣ ଉତ୍ସବ, ଆଟ୍ ହୋମ୍ ପାର୍ଟି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଏଥିରେ ବହୁ ଭିଭିଆଇପି ଏବଂ ଭିଆଇପି ଯୋଗଦିଅନ୍ତି। କିନ୍ତୁ ଅତ୍ୟନ୍ତ ନିମ୍ନମାନର କାମ ହୋଇଥିବାରୁ ଏହାର ତୁରନ୍ତ ମରାମତି କରିବାରେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ମାତ୍ର ବର୍ଷକ ତଳେ ଏହି ହଲ୍ ନିର୍ମାଣ ହୋଇଥିଲେ ହେଁ ମୁଖ୍ୟ ହଲ୍ର ଛାତ ଖରାପ ହୋଇଗଲାଣି। ଏପରିକି ପ୍ୟାନେଲିଂ ନଷ୍ଟ ହୋଇଯାଇଥିବା ବେଳେ ଚଟାଣରେ ପଡ଼ିଥିବା ଟାଇଲ୍ ଉଠିଗଲାଣି। ଡାଡୋରେ ଲାଗିଥିବା ଟାଇଲ୍ ଛାଡ଼ି ଗଲାଣି, ମୁଖ୍ୟ ହଲ୍ରେ ନିର୍ମାଣ ହୋଇଥିବା ଷ୍ଟେଜ୍, ରଙ୍ଗ କାମ ଖରାପ ହୋଇଗଲାଣି। ଏହାବାଦ୍ ଏସି ବ୍ୟବସ୍ଥା, ଲାଇଟିଂ, ସାଉଣ୍ଡ ସିଷ୍ଟମ, ଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ବାହାରେ ବିଛା ହୋଇଥିବା ପେଭର୍ ବ୍ଲକ କାମ ଆଦୌ ସନ୍ତୋଷଜନକ ନୁହେଁ। ପୂର୍ତ୍ତ ବିଭାଗ ୫-ଟି କାର୍ଯ୍ୟକମ ଅଧୀନରେ ଥିବାବେଳେ ୨୪କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି କୋଠାର ଅବସ୍ଥା ନେଇ ରାଜଭବନ କ୍ଷୋଭ ପ୍ରକାଶ କରିବା ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛି। ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି କୋଠା ନିର୍ମାଣ ପାଇଁ ୮କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହାର ପ୍ୟାନେଲିଂ, ଏସି କାମ, ଲାଇଟ୍ ଏବଂ ସାଉଣ୍ଡ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ କାମ ପାଇଁ ବାକି ୧୬କୋଟି ଖର୍ଚ୍ଚ ହୋଇଛି। କେବଳ ଇଲେକ୍ଟ୍ରିକ୍ କାମ ପାଇଁ ପ୍ରାୟ ୧୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯେଉଁ ସମସ୍ୟା ନେଇ ଅଭିଯୋଗ ହୋଇଛି ତାହା ମୁଖ୍ୟତଃ ଇଲେକ୍ଟ୍ରିକ୍ କାମ ଏବଂ ପାନୀୟ ଜଳ ଯୋଗାଣ କାମକୁ ନେଇ ହୋଇଥିଲା। ଏହାର ମରାମତି କରାଯାଇଛି ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।