ବୈପାରିଗୁଡା: ନିମ୍ନମାନର ରାସ୍ତା ମରାମତି କାମକୁ ଅଧାରୁ ବନ୍ଦ କଲେ ଗ୍ରାମବାସୀ। କୋରାପୁଟ ଜିଲ୍ଲା ବୈପାରିଗୁଡା ପଞ୍ଚାୟତ ଅନ୍ତର୍ଗତ ବାତ୍ରିପୁଟ ଗ୍ରାମ ଠାରେ ଏମିତି ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ପିଡବ୍ଲୁଡି ରାସ୍ତା ଠାରୁ ବାତ୍ରିପୁଟ ଯାଏ ଏକ କିଲୋମିଟର ୩୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ କରାଯାଇଛି। ଗତ ୨୦୧୯ ମସିହାରେ ରାସ୍ତା କାମ ଶେଷ ହୋଇଥିଲା।

Advertisment

ତେବେ ରାସ୍ତା ଖରାପ ହୋଇଯିବାରୁ ପୁଣିଥରେ ମରାମତି କାମ ଆରମ୍ଭ ହୋଇଛି। ରାସ୍ତାର ଯେଉଁ ଯେଉଁ ସ୍ଥାନ ନଷ୍ଟ ହୋଇଯାଇଛି, ସେଠାରେ ଠିକା ସଂସ୍ଥା ନିମ୍ନମାନର ମରାମତି କାମ କରୁଥିବା ପ୍ରକାଶ କରିଛନ୍ତି। ନଷ୍ଟ ହୋଇଯାଇଥିବା ସ୍ଥାନରେ ନାମକୁ ମାତ୍ର କାମ କରାଯାଉଅଛି। ନିୟମ ଅନୁଯାୟୀ ମେଟାଲ ପଡ଼ିବା ପରେ ଚିପସ୍ ବିଛାଯାଇ ତା'ଉପରେ ପିଚୁ ଢାଳିବା ସହ ରୋଲର୍ ଦ୍ଵାରା ଚାପ ଦେଇ ମଜବୁତ କରିବା ବଦଳରେ ବିନା ମେଟେଲରେ କେବଳ ଚିପସ୍ ପକେଇ ତା ଉପରେ ପିଚୁ ଢଳାଯାଇଛି। ଫଳରେ ହାତ ମାରିବା ମାତ୍ରେ ଚିପସ୍ ଉଠିଯାଉଛି।

ମରାମତି ବାବଦକୁ ୪.୫୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ନିମ୍ନମାନର କାମ କରି ଯେନତେନ ପ୍ରକାରେ କାମ ସାରିଦିଆଯିବା ପାଇଁ ଯୋଜନା ଚାଲିଥିବା ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି। ଏଥିସହ ଯେଉଁ କଲଭର୍ଟ ନିର୍ମାଣ କରାଯାଇଛି, ତାହାର ଗାର୍ଡଓ୍ବାଲ୍ ନଥିବାରୁ କୈାଣସି ସମୟରେ ଦୁର୍ଘଟଣା ଘଟିବାର ଆଶଂକା ମଧ୍ୟ ରହିଛି। ଆଜି ବାତ୍ରିପୁଟ ଗ୍ରାମବାସୀମାନେ ନିର୍ମାଣ କାର୍ଯ୍ୟ ନିକଟରେ ପହଞ୍ଚି କାମ ବନ୍ଦ କରିବା ସହ ନିୟମ ଅନୁଯାୟୀ ମରାମତି କାମ ନକଲେ କାମ କରାଇଦେବେ ନାହିଁ ବୋଲି ପ୍ରକାଶ କରିଛନ୍ତି।