ଶ୍ରାବଣରେ ବି ଶୁଖିଲା ପଡିଛି ଜମି : ମୌସୁମୀର ଲୁଚକାଳିକୁ ନେଇ ଚିନ୍ତାରେ ଚାଷୀ, ରାଜ୍ୟର ୫ଟି ଜିଲ୍ଲାରେ ସ୍ଥିତି ସଙ୍ଗୀନ

ଭୁବନେଶ୍ୱର: ଆଷାଢ ସରି ଶ୍ରାବଣ ମାସ ଆରମ୍ଭ ହୋଇଛି, ହେଲେ ଧାରା ଶ୍ରାବଣର ଧାରା ଦେଖିବାକୁ ମିଳୁ ନାହିଁ। ଯେତିକି କାଭାଁ ବର୍ଷା ହେଉଛି, ତାହା ଚାଷ କାମକୁ ଆଗେଇ ନେବାକୁ ଯଥେଷ୍ଟ ହେଉନାହିଁ। ବର୍ଷାର ଏହି ଲୁଚକାଳି ଖେଳ ଯୋଗୁଁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। କେମିତି ଚାଷ କାମ କରାଯିବ ସେ ନେଇ ଚିନ୍ତିତ ଚାଷୀଙ୍କୁ କିଛି ବୁଦ୍ଧିବାଟ ଦିଶୁ ନାହିଁ।

ବର୍ଷା ଅଭାବରୁ ଟାଙ୍ଗରା ଭୂଇଁରେ ମାଟି ଫାଟି ଆଁ କରିଛି । ଧାନ କିଆରି କାଦୁଅ ପଚପଚ ହେବା ପରିବର୍ତ୍ତେ ଶୁଖି ଯାଇ ପଥର ପାଲଟିଛି । ବର୍ଷା ବିହୁନେ କେଉଁଠି ତଳି ମରିଗଲାଣି ତ ଆଉ କେଉଁଠି ଶୁଖି ହଳଦିଆ ପଡିଗଲାଣି । ଆକାଶରେ ବର୍ଷା ନାହିଁ କି କେନାଲରେ ବି ପାଣି ନାହିଁ । ଧାନ ରୁଆ ସମୟ ହୋଇଥିବାରୁ ଅନେକ ଜାଗାରେ ବି ଏଯାଏଁ ଗଜା ଉଠିନି । ଯେଉଁଥି ପାଇଁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ।

ମୌସୁମୀର ଲୁଚକାଳି ଭିତରେ ଚାଷୀ ମୁଣ୍ଡରେ ଚଡକ ପଡିଲାଣି । ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡିଶା ସବୁଠି ସ୍ଥିତି ସଙ୍ଗୀନ । ସ୍ୱଳ୍ପ ବୃଷ୍ଟି ଯୋଗୁଁ ଉପୁଜିଛି ମରୁଡି ସ୍ଥିତି । ବିଲରେ ପାଣି ଅଭାବରୁ ଶହ ଶହ ହେକ୍ଟର ଚାଷ ଜମି ଶୁଖିଲା ପଡିଛି । କିଛି ସ୍ଥାନରେ ଧାନ ବିଲରେ ଗାଇ ଗୋରୁ ଚରୁଛନ୍ତି । କହିବାକୁ ଗଲେ ୫ ଜିଲ୍ଲାରେ ଏକ ପ୍ରକାର ମରୁଡି ସ୍ଥିତି ଉପୁଜିଛି ।

Dailyhunt

ଜମିରେ ଧାନ ଗଜା ହେଲା ବେଳକୁ ଆକାଶରୁ ମେଘ ଯେପରି ଉଭାନ ହୋଇଯାଇଛି। ଯେଉଁ ଅଳ୍ପ ପରିମାଣର ବର୍ଷା ହେଉଛି ତାହା ଚାଷୀର କାର୍ଯ୍ୟରେ ଲାଗୁନି। ଅନେକ ସ୍ଥାନରେ ଏଭଳି ଅବସ୍ଥାପାଇଁ ତଳିଜମିରେ ଗଜାମରୁଡି ପରିସ୍ଥିତି ସୃଷ୍ଟି ହେଲାଣି। ଚଳିତ ବର୍ଷ ଧାନଫସଲ ଠିକ୍‌ଭାବେ ହୋଇ ନ ପାରିଲେ ଋଣ ଭାରରେ ଥିବା ଚାଷୀ କିପରି ଋଣ ପରିଶୋଧ କରିବ‌ ସେ ନେଇ ଏବେ ଠାରୁ ଚିନ୍ତିତ ହୋଇପଡିଛନ୍ତି।

ସମ୍ବନ୍ଧିତ ଖବର