ମୌସୁମୀର ଲୁଚକାଳି : ମରୁଡ଼ି ମୁହଁରେ ୫୮ ବ୍ଲକ୍‌

ଭୁବନେଶ୍ୱର : ମୌସୁମୀ ବର୍ଷାର ଲୁଚକାଳି ଖେଳ ଭିତରେ ରାଜ୍ୟର ହଜାର ହଜାର ଚାଷୀଙ୍କ ଜୀବନ ଦୁର୍ବିସହ ଭିତରକୁ ଠେଲି ହୋଇଯାଇଛି। ଗୋଟିଏ କି ଦୁଇଟି ନୁହେଁ, ରାଜ୍ୟର ୧୭ଟି ବ୍ଲକ ମରୁଡି କୋଳକୁ ଚାଲିଗଲାଣି। ସରକାରଙ୍କ ରିପୋର୍ଟ କହୁଛି, ଅଗଷ୍ଟ ପହିଲା ଅର୍ଥାତ୍‌ ସୁଦ୍ଧା ଆଜି ଏସବୁ ବ୍ଲକରେ ୩୯%ରୁ ୫୯% ଯାଏ କମ୍‌ ବର୍ଷା ରେକର୍ଡ ହୋଇଛି। ଏହାବ୍ୟତୀତ ଆହୁରି ୪୧ଟି ବ୍ଲକ ରହିଛି, ଯେଉଁଠି ବର୍ଷାଭାବ ଚାଷୀଙ୍କ ମୁଣ୍ଡ ଘୂରାଇ ଦେଲାଣି। ଏସବୁ ବ୍ଲକରେ ୧୯%ରୁ ୩୯% ଯାଏ ବର୍ଷା କମିିଛି।

ଜୁନ୍‌ ପହିଲାରୁ ଅଗଷ୍ଟ ପହିଲା ମଧ୍ୟରେ ସାରା ରାଜ୍ୟରେ ହୋଇଥିବା ବର୍ଷା ପରିସଂଖ୍ୟାନ ସଂପର୍କରେ ସୂଚନା ଦେଇ ଆଜି ସ୍ୱତନ୍ତ୍ର ରିଲିଫ୍‌ କମିସନର ଜଣାଇଛନ୍ତି ଯେ ଏତେ ବର୍ଷା ପରେ ବି ମାତ୍ର ୮ଟି ଜିଲ୍ଲାରେ ଅତିବୃଷ୍ଟି ଓ ୧୮ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ହେଲେ ଅନୁଗୁଳ (-୨୦.୯%), ସୁନ୍ଦରଗ଼ଡ (-୨୧.୨%), ବଲାଙ୍ଗୀର (-୨୪.୨%) ଓ ନୂଆପଡା (-୨୯.୩%) ଜିଲ୍ଲାର ନାମ ଏହି ତାଲିକାରେ ନାହିଁ।

ବ୍ଲକକୁ ୟୁନିଟ୍‌ ଭାବେ ନେଇ ଦେଖିଲେ, ୧୦୩ଟିରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି ଏବଂ ୧୫୩ରେ ସ୍ୱାଭାବିକ ବର୍ଷା ହୋଇଛି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ମୌସୁମୀ ବର୍ଷା ଚାଷୀ ପାଇଁ ଚିନ୍ତାର କାରଣ ହୋଇଛି। ବିଳମ୍ବରେ ମୌସୁମୀ ସକ୍ରିୟ ହେଲା ତା ନୁହେଁ, ଗତ କିଛି ବର୍ଷ ପରି ଏବର୍ଷ ବି ବର୍ଷା କିନ୍ତୁ ଲଘୁଚାପ ଉପରେ ମୁଖ୍ୟତଃ ନିର୍ଭର କରିଛି। ପରିଣାମ ହେଲା, କେଉଁଠି ଅତିବର୍ଷା ହେଲା, ତ ଆଉ କେଉଁଠାରେ ଆଦୌ ବର୍ଷା ହେଲା ନାହିଁ।

ଏଥର ଜୁନ୍‌ ମାସରେ ହାରାହାରି ୨୫.୪% କମ୍‌ ବର୍ଷା ରେକର୍ଡ ହୋଇଥିଲା। ଜୁଲାଇ ଶେଷ ବେଳକୁ ବଡ଼ ବର୍ଷା ସତ୍ତ୍ୱେ ସ୍ଥିତିରେ ବିଶେଷ ପରିବର୍ତ୍ତନ ଘଟିନଥିଲା। ପରିଣାମ ହେଲା ଜୁଲାଇରେ ଯେତିକି ବର୍ଷା ହେବା କଥା, ତା ଠାରୁ୨୮.୯% କମ୍‌ ବର୍ଷା ହୋଇଥିଲା। ଆଜି ଅଗଷ୍ଟ ପହିଲାରେ ମଧ୍ୟ ରାଜ୍ୟରେ ୮.୫ ମିଲିମିଟର ବର୍ଷା ହୋଇଛି।

ସାମଗ୍ରିକ ଭାବେ ଜୁନ୍‌ ପହିଲାରୁ ଆଜି ଯାଏ ଓଡ଼ିଶାର ବର୍ଷା ରେକର୍ଡକୁ ଦେଖିଲେ, ଦେଖାଯାଉଛି ଯେ ଏ ଭିତରେ ୫୬୭.୯ ମିମି ବର୍ଷା ହେବା କଥା। ୭% ଅଧିକ ଅର୍ଥାତ୍‌ ୬୦୮ ମିମି ରେକର୍ଡ ହୋଇଛି। ଅନ୍ୟପକ୍ଷରେ ପୁରୀ, ଖୋର୍ଧା, ମାଲକାନଗିରି, କଳାହାଣ୍ଡି, ରାୟଗଡା, କେନ୍ଦ୍ରାପଡା, କଟକ ଓ ଯାଜପୁରରେ ଅଧିକ ବର୍ଷା ହୋଇଥିବା କାରଣରୁ ଚାଷ ବି କିଛି ପରିମାଣରେ ପ୍ରଭାବିତ ହୋଇଛି।

ଏଠାରେ ପ୍ରକାଶଥାଉକି, ଅନୁଗୁଳର କଣିହାଁ, ବଲାଙ୍ଗୀରର ବଙ୍ଗୋମୁଣ୍ଡା, ବେଲପଡା, ଲୋଇସିଂହା, ମୁରିବାହାଲ, କୋରାପୁଟର ନାରାୟଣପାଟଣା, ମୟୂରଭଂଜର ରରୁଆଁ, ବିଶୋଇ, ନବରଙ୍ଗପୁରର ରାଇଘର, ନୂଆପ଼ଡାର ଖରିଆର, ସିନାପାଲି, ସୁନ୍ଦରଗ଼ଡର ସବ୍‌ଡେଗା, ବାଲିଶଙ୍କରା, ରାଜଗାଙ୍ଗପୁର, ବଣାଇ, ସୁନ୍ଦରଗଡ, ଟାଙ୍ଗରାପାଲି ବ୍ଲକରେ ଚାଷ ଗୁରୁତର ପ୍ରଭାବିତ ହୋଇଛି। ଟାଙ୍ଗରାପାଲିରେ ସ୍ଥିତି ସବୁଠାରୁ ଭୟାନକ ରହିଛି।

ସମ୍ବନ୍ଧିତ ଖବର