ପାଟଣାଗଡ଼ କୃଷିଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ, ଧାନକ୍ଷେତରେ ଗୋରୁ ଚରିଲେଣି

ପାଟଣାଗଡ଼ : ପାଟଣାଗଡ଼ କୃଷିଜିଲ୍ଲାରେ ଖରିଫ ଋତୁର ପ୍ରମୁଖ ଚାଷ ହେଉଛି ଧାନ। ଚାଷୀମାନେ ଜମିଗୁଡ଼ିକରେ ଜୁନ ମାସରୁ ତଳି ପକାଇଥାନ୍ତି। ଜୁଲାଇରୁ ଅଗଷ୍ଟ ୧୫ ତାରିଖ ମଧ୍ୟରେ ଏହି ତଳି ଉପାଡ଼ି ଧାନରୁଆ ଆରମ୍ଭ କରିଥାନ୍ତି। କିନ୍ତୁ ଚଳିତ ଖରିଫ ଋତୁରେ ବର୍ଷା ଅଭାବ ଦେଖା ଦେଇଛି। ଫଳରେ ଧାନଚାଷ କାମ ବାଧାପ୍ରାପ୍ତ ହୋଇଛି। ଯେଉଁ ଚାଷୀମାନଙ୍କ ଜମିରେ ଗଭୀର ନଳକୂପ କିଂବା କୂଅ ରହିଛି ସେମାନେ ମଟର ପମ୍ପ ସାହାଯ୍ୟରେ ନିଜ ଜମିରେ ପାଣି ମଡ଼ାଇ ଚାଷ କାମ କରୁଥିବା ଦେଖିବାକୁ ମିଳିଛି। ସେହିପରି ଗତ ମାସରେ ଲଘୁଚାପ ବର୍ଷା ସମୟରେ ଖାଲୁଆ ଜମିରେ କିଛିଟା ପାଣି ଲାଗିବା ଦ୍ବାରା ସେଠାରେ ଧାନ ଚାଷ ହୋଇଛି। ହେଲେ ଯେଉଁ ଜମିରେ ପାଣି ଲାଗି ପାରି ନାହିଁ ସେଗୁଡ଼ିକରେ ପାଣି ନପାଇ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

ବର୍ଷାଭାବ ଯୋଗୁଁ ଅନେକ ସ୍ଥାନରେ ଚାଷୀ ଧାନ ଚାଷ କରିବାରେ ଅସମର୍ଥ ହୋଇଛି। ଫଳରେ ତଳିଗୁଡ଼ିକ ସେପରି ପଡ଼ିରହିଛି। ଚଳିତ ଖରିଫରେ ପାଟଣାଗଡ଼ କୃଷିଜିଲ୍ଲାର ପାଟଣାଗଡ଼ ବ୍ଲକ୍‌ରେ ୨୧୭୫୦ ହେକ୍ଟର ଜମିରେ ଧାନଚାଷ ଲକ୍ଷ୍ୟ ଧାର୍ଯ୍ୟ ରହିଛି। ସେଥିମଧ୍ୟରୁ ମାତ୍ର ୬୧୪୭ ହେକ୍ଟର ଜମିରେ ଏ ପର୍ଯ୍ୟନ୍ତ ଧାନଚାଷ ଆରମ୍ଭ ହୋଇଥିବା ସୂଚନା ମିଳିଛି। ସେହିପରି ବେଲପଡ଼ା ବ୍ଲକ୍‌ରେ ୧୭ ହଜାର ହେକ୍ଟରରୁ ୪୭୭୫ ହେକ୍ଟରରେ ଏବଂ ଖପ୍ରାଖୋଲ ବ୍ଲକ୍‌ରେ ୧୩୪୫୦ ହେକ୍ଟରରୁ ମାତ୍ର ୩୧୫୭ ହେକ୍ଟର ଜମିରେ ଧାନଚାଷ ହୋଇଛି। ଏପରି ଭାବେ କୃଷିଜିଲ୍ଲାରେ ମୋଟ ୫୨ ହଜାର ୨୦୦ ହେକ୍ଟର ଜମିରେ ଧାନଚାଷ ପାଇଁ ଲକ୍ଷ୍ୟ ରହିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୧୪ହଜାର ୭୯ ହେକ୍ଟର ଜମିରେ ଧାନଚାଷ ହୋଇଥିବା ବିଷୟରେ କୃଷି ବିଭାଗରୁ ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ସ୍ଥାନରେ ଧାନରୁଆ କାମ ସରିଯିବା କଥା। ହେଲେ ଏ ପର୍ଯ୍ୟନ୍ତ ଗୁଡ଼ାଏ ସ୍ଥାନରେ ଚାଷୀ ଧାନରୁଆ ଆରମ୍ଭ କରି ନଥିବା ଦେଖିବାକୁ ମିଳିଛି।

ଚଳିତ ବର୍ଷ ପା‌ଟଣାଗଡ଼ ବ୍ଲକ୍‌ରେ ଜୁନ ମାସରେ ୧୩୫.୨୦ ମିମି, ଜୁଲାଇରେ ୩୧୩.୫ ଏବଂ ଅଗଷ୍ଟ ମାସରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ବେଲପଡ଼ା ବ୍ଲକ୍‌ରେ ଜୁନ ମାସରେ ୧୧୭ ମିମି, ଜୁଲାଇରେ ୨୬୮ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଖପ୍ରାଖୋଲ ବ୍ଲକ୍‌ରେ ଜୁନ ମାସରେ ୧୫୮ ମିମି, ଜୁଲାଇରେ ୨୫୩ ମିମି ଓ ଅଗଷ୍ଟ ମାସରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଯାହା ଏ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ଢେର କମ ବର୍ଷା ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୮୦୦ରୁ ୨୦୦୦ ମିମି ବର୍ଷା ହୋଇଥିଲେ ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଧାନଚାଷ ସମ୍ପୂର୍ଣ୍ଣ ହୋଇ ପାରିଥାନ୍ତା ବୋଲି କହିଛନ୍ତି କୃଷିଜିଲ୍ଲା ଅଧିକାରୀ ଗୁରେନ୍ଦ୍ରନାଥ ସିଂହ। କିଛି ସ୍ଥାନରେ ଧାନରୁଆ ହୋଇ ସାରିଥିବା ବେଳେ ବର୍ତ୍ତମାନ ପାଣି ଅଭାବ ଯୋଗୁଁ ଧାନଚାଷକୁ ବଞ୍ଚାଇବା କଷ୍ଟକର ହୋଇଛି। କିଛି ସ୍ଥାନରେ ପୂର୍ବରୁ ଲଘୁଚାପ ବର୍ଷାରେ ‌ଚାଷୀ ଧାନ ରୁଆ କାର୍ଯ୍ୟ ଆରମ୍ଭ କରିଥିଲା। ବହୁ ପୂର୍ବରୁ ଧାନଚାଷ ଆରମ୍ଭ କରି ଦେଇଥିବା ଚାଷୀମାନେ ଏବେ ଜମିରେ ଧାନ ଫସଲକୁ ପାଣି ଯୋଗାଇବାରେ ଅସମର୍ଥ ହୋଇ ସେଥିରେ ଗୋରୁଙ୍କୁ ଚରିବା ପାଇଁ ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି।

ଅପରପକ୍ଷରେ ବହୁ ଜିମରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଚାଷ କାମ ଆରମ୍ଭ ହୋଇ ନଥିବାରୁ ସେଠାରେ ମଧ୍ୟ ଗୋରୁ ଚରୁଥିବା ଦେଖିବାକୁ ମିଳିଛି। ଆସନ୍ତା ୧୫ ତାରିଖ ମଧ୍ୟରେ ଭଲ ବର୍ଷା ନହେଲେ ଚାଷ କାମ ଆଉ ହୋଇ ପାରିବ ନାହିଁ। ଫଳରେ ଏ ଅଞ୍ଚଳରେ ମରୁଡ଼ି ନିଶ୍ଚିତ ବୋଲି ଚାଷୀମାନେ ହତାଶ ହୋଇ ପଡ଼ିଛନ୍ତି। ମରୁଡ଼ି ପ୍ରପୀଡ଼ିତ ପାଟଣାଗଡ଼ ଉପଖଣ୍ଡରେ ଆଖିଦୃଶିଆ ଜଳସେଚନ ପ୍ରକଳ୍ପ ନଥିବାରୁ ଏ ଅଞ୍ଚଳର ଚାଷୀମାନଙ୍କ ପାଇଁ ଉଚିତ ସୁବିଧା ସୁଯୋଗ କଲେ ସେମାନେ ଉପକୃତ ହୋଇ ପାରନ୍ତେ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର