ଅଗଷ୍ଟରେ ୨୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା; ଚାଷ ପାଇଁ ବିପଦଘଣ୍ଟି, ମରୁଡ଼ି ଜଳଜଳ

୨୨୦ ବ୍ଲକ୍‌ରେ ଚାଷ କାର୍ଯ୍ୟ ପ୍ରଭାବିତ, ୧୪ ଜିଲ୍ଲା ସ୍ଥିତି ସଂଗିନ
ଶେଷ ସପ୍ତାହରେ ସକ୍ରିୟ ହୋଇପାରେ ମୌସୁମୀ

ଭୁବନେଶ୍ବର : ଅଗଷ୍ଟ ମାସରେ ବି ନିଅଣ୍ଟିଆ ବର୍ଷା ଜାରି ରହିବାରୁ ରାଜ୍ୟରେ ଏବେ ମରୁଡ଼ି ସ୍ଥିତି ଭୟଙ୍କର ରୂପ ନେବାର ଆଶଙ୍କା ଦେଖା ଦେଇଛି। ଅଗଷ୍ଟ ୧ରୁ ୨୦ ତାରିଖ ଭିତରେ ରାଜ୍ୟରେ ୫୦%ରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ଚାଷ କାର୍ଯ୍ୟରେ ଏହା ଚିନ୍ତାଜନକ ପ୍ରଭାବ ପକାଇଛି। ରାଜ୍ୟର ୩୧୪ ବ୍ଲକ୍‌ ମଧ୍ୟରୁ ୨୨୦ ବ୍ଲକ୍‌ରେ ସର୍ବନିମ୍ନ ଆବଶ୍ୟକ ୧୩୫ ମିମିରୁ କମ୍‌ ବର୍ଷା ହୋଇଥିବାରୁ ଧାନରୁଆ ବେଉଷଣ ବିଶେଷ ଭାବେ ପ୍ରଭାବିତ ହୋଇଛି। ଏପରିକି ୭୩ ବ୍ଲକ୍‌ରେ ଧାନ ଗଛ ବଞ୍ଚି ରହିବା ପାଇଁ ଆବଶ୍ୟକ ୬୦ ମିମି ବର୍ଷା ବି ହୋଇନାହିଁ। ଏଥିମଧ୍ୟରେ କେବଳ ମୟୂରଭଞ୍ଜ ଜିଲ୍ଲାର ୧୧ଟି ବ୍ଲକ୍‌ ରହିଛି। ଏହି ୧୧ ବ୍ଲକ୍‌ ଭିତରୁ ୪ଟିରେ ୧୦ ମିମିରୁ ବି ଅଧିକ ବର୍ଷା ହୋଇନାହିଁ। କୁସୁମି ଓ ଜାମଡ଼ା ବ୍ଲକ୍‌ରେ ଅଗଷ୍ଟ ମାସର ଏହି ୨୦ ଦିନ ମଧ୍ୟରେ ଆଦୌ ବର୍ଷା ହୋଇନାହିଁ। ଅନ୍ୟପଟେ ଧାନ ରୁଆ ଓ ବେଉଷଣ ପା‌ଇଁ ଅତି କମ୍‌ରେ ବାଷ୍ପୀକରଣକୁ ମିଶାଇ ୧୩୫ ମିମି ବର୍ଷା ଆବଶ୍ୟକ ହୋଇଥିବା ବେଳେ ମାତ୍ର ୭ଟି ଜିଲ୍ଲାରେ ଏହି ଅବଶ୍ୟକ ବର୍ଷା ହୋଇଛି। ଢିପାଳିଆ ମଧ୍ୟମ କିସମ ଜମିରେ ଏହି ୨୦ ଦିନରେ ୧୬୦ମିମି ବର୍ଷାର ଆବଶ୍ୟକତା ରହିଥିବା ବେଳେ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରକୁ ଛାଡ଼ି ଦେଲେ ଅନ୍ୟ କୌଣସି ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ବର୍ଷା ହୋଇନାହିଁ। ତେଣୁ ରାଜ୍ୟରେ ଏକ ପ୍ରକାର ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି।

Experience Kerala

ମୌସୁମୀ ଆରମ୍ଭରୁ ଅର୍ଥାତ ଜୁନ୍‌ ମାସରେ ରାଜ୍ୟରେ ୩% ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଜୁଲାଇରେ୧୯% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା। ଆଶା ଥିଲା ଅଗଷ୍ଟରେ ଭଲ ବର୍ଷା ହେଲେ ଏହି ନିଅଣ୍ଟିଆ ସ୍ଥିତି ଭରଣା ହୋଇଯିବ। କିନ୍ତୁ ଓଲଟି ଅଗଷ୍ଟ ଆରମ୍ଭରୁ ହିଁ ରାଜ୍ୟରୁ ମୌସୁମୀ ଉଭାନ ହୋଇଯାଇଛି। ଗତ ୨୦ ଦିନ ମଧ୍ୟ‌ରେ କାଁ ଭାଁ କିଛି କିଛି ସ୍ଥାନରେ ବର୍ଷା ହୋଇଥିବାବେଳେ ଅଧିକାଂଶ ସ୍ଥାନରେ ଚାଷ ଉପଯୋଗୀ ବର୍ଷା ହୋଇନାହିଁ। ଅଗଷ୍ଟ ୧୫ ତାରିଖ‌ରେ ସୃଷ୍ଟି ହୋଇଥିବା ଲଘୁଚାପ ମଧ୍ୟ ରାଜ୍ୟରେ ଆଶାନୁରୂପକ ବର୍ଷା କରିବା‌ରେ ସଫଳ ହୋଇନାହିଁ। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଏହି ମୌସୁମୀ-ବିରତି ପରିସ୍ଥିତି ଜାରି ରହିବ। ପରେ ୨୮ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଫଳରେ ମୌସୁମୀ ସକ୍ରିୟ ହେବ ଏବଂ ରାଜ୍ୟରେ ଭଲ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି।

ଡ. ପଶୁପାଳକ କହିଛନ୍ତି, ଅଗଷ୍ଟର ଅଭାବୀ ବର୍ଷା ଚାଷ ପାଇଁ ବିପଦ ଘଣ୍ଟି ଆଲଟିଛି। ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ମାତ୍ର ୨ଟି ଜିଲ୍ଲା କୋରାପୁଟ ଓ ମାଲକାନଗିରିକୁ ଛାଡ଼ି ଦେଲେ ଅବଶିଷ୍ଟ ୨୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି। ସେଥିମଧ୍ୟରୁ ୧୪ ଜିଲ୍ଲାର ସ୍ଥିତି ସଙ୍ଗିନ ରହିଛି। ଅଗଷ୍ଟ ୧ ତାରିଖରୁ ୨୦ ତାରିଖ ମଧ୍ୟରେ ସ୍ବାଭାବିକ ଭାବେ ୨୩୦ ମିମି ବର୍ଷା ହେବା କଥା। କିନ୍ତୁ ତା’ ବଦଳରେ ମାତ୍ର ୧୧୪.୫ ମିମି ବର୍ଷା ‌ହୋଇଛି। ଯାହାକି ସ୍ବାଭାବିକଠାରୁ ୫୦.୩% କମ୍‌। ଏହି ୨୦ ଦିନରେ କୋରାପୁଟ ଓ ମାଲକରନଗିରି ଆଦି ୨ଟି ଜିଲ୍ଲାକୁ ଛାଡ଼ିଦେଲେ ଅବଶିଷ୍ଟ ୨୮ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି। ସେଥିମଧ୍ୟରୁ ୧୪ ଜିଲ୍ଲା ଯଥା, ଅନୁଗୁଳ, ବରଗଡ଼, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ଢେଙ୍କାନାଳ, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ସମ୍ବଲପୁର, ସେନପୁର, ଓ ସୁନ୍ଦରଗଡ଼ ଆଦିରେ ୫୯%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି। କନ୍ଧମାଳରେ ୭୧% ନିଅଣ୍ଟିଆ ବର୍ଷା ଥିବା ବେଳେ , ବୌଦ୍ଧରେ ୬୮.୮% ଓ ଅନୁଗୁଳରେ ୬୮.୭% ନିଅଣ୍ଟିଆ ହୋଇଛି। ଅଗଷ୍ଟ ମାସରେ କେବଳ ୭ଟି ଜିଲ୍ଲାରେ ଚାଷ ପାଇଁ ଆବଶ୍ୟକ ସର୍ବନିମ୍ନ ୧୩୫ ମିମି ବର୍ଷା ହୋଇଛି।

iStock

ଉଲ୍ଲେଖଯୋଗ୍ୟ ଯେ ଜୁନ୍‌ ୧ରୁ ଅଗଷ୍ଟ ୨୦ ତାରିଖ ମଧ୍ୟରେ ରାଜ୍ୟରେ ସର୍ବମୋଟ୍‌ ୭୯୧ ମିମି ବର୍ଷା ହୋଇଥାଏ। କିନ୍ତୁ ଏହି ସମୟ ପରିଧି ମଧ୍ୟରେ ରାଜ୍ୟରେ ହୋଇଛି ମାତ୍ର ୫୬୨.୪ ମିମି, ଯାହାକି ୨୮.୯% ନିଅଣ୍ଟିଆ। କଟକ, ଗଞ୍ଜାମ, ଜଗତସିଂହପୁର, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ଛାଡ଼ି ବାକି ସବୁ ଜିଲ୍ଲାରେ ବର୍ଷାର ପରିମାଣ ନିଅଣ୍ଟିଆ ରହିଛି। ସେଥିମଧ୍ୟରୁ ଅନୁଗୁଳ, ଭଦ୍ରକଳ ଯାଜପୁର, କଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝରରେ ୩୯%ରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବାବେଳେ ଭଦ୍ରକରେ ୪୯.୯%, ଯାଜପୁରରେ ୪୩% ଓ କନ୍ଧମାଳରେ ୪୦.୧% ଅଭାବୀ ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର