ମେ’ରେ ସ୍ବଳ୍ପବୃଷ୍ଟି, ୩ ଜଳ ଭଣ୍ଡାର ପାଇଁ ଚିନ୍ତା ବଢ଼ିଲା

ଆଗାମୀ ଦିନରେ ଦୁଇ ଜିଲ୍ଲାରେ ଦେଖାଦେବ ସାଂଘାତିକ ସ୍ଥିତି

କୋରାପୁଟ: ୧୦ ବର୍ଷ ତଳେ ଯାହା ଥିଲା ତାକୁ ୨୦୨୨ରେ ଦୋହରାଇବାକୁ ଯାଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୨୦୨୨ ମେ ମାସରେ ସ୍ବଳ୍ପ ବୃଷ୍ଟି ୨ ଜିଲ୍ଲାର ୩ ଜଳ ଭଣ୍ଡାର ପାଇଁ ଚିନ୍ତା ବଢ଼ାଇଛି। ଆସନ୍ତା ମାସରେ ଧାନରୂଆ ଆରମ୍ଭ ହେବ। ଯଦି ବର୍ଷା ନହେବ ତେବେ ଏହି ଜଳଭଣ୍ଡାରରୁ ପାଣି ମିଳିବା କାଠିକର ପାଠ ହେବ। ଆଗାମୀ ଦିନରେ ଯଦି ଏହି ସ୍ଥିତି ଲାଗି ରହେ ତେବେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଜଳକଷ୍ଟ ଦେଖାଦେବ। ଜଳସେଚନ ଓ ପାନୀୟ ଜଳ ପାଇଁ ସାଂଘାତିକ ସ୍ଥିତି ସୃଷ୍ଟି ହେବ ଏଥିରେ ସନ୍ଦେହ ନାହିଁ।

କୋରାପୁଟ ଜିଲ୍ଲାରେ ରହିଛି କୋଲାବ, ତେଲିଙ୍ଗିର ଓ ନବରଙ୍ଗପୁର ଜିଲ୍ଲାରେ ଉପର ଇନ୍ଦ୍ରାବତି ଜଳ ଭଣ୍ଡାର। କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଲୋକେ ଚାଷ ଓ ପାନୀୟ ଜଳ ପାଇଁ ଏହି ଜଳ ଭଣ୍ଡାର ଉପରେ ଭରସା କରୁଛନ୍ତି। ତେବେ ୨୦୧୦, ୨୦୧୧, ୨୦୧୨ ଓ ୨୦୧୩ରେ ସ୍ବଳ୍ପ ବର୍ଷାଯୋଗୁଁ କୋରାପୁଟ ଜିଲ୍ଲାର ଜୟପୁର, କୋରାପୁଟ, ସେମିଳିଗୁଡା, ଦାମନଯୋଡି ଓ ସୁନାବେଢାରେ ନାହିଁ ନଥିବା ସ୍ଥିତି ସୃଷ୍ଟି ହୋଇଥିଲା। ବର୍ତ୍ତମାନ ତାହାର ପୁନରାବୃତ୍ତି ହେବା ଆଶଙ୍କା ରହିଛି। କୋଲାବ ଜଳଭଣ୍ଡାରରେ ବର୍ଷାଭାବ ଯୋଗୁଁ ଏବେ ୮୪୫.୨୭୦ ମିଟର ଜଳ ଥିବାବେଳେ ଗତବର୍ଷ ଜଳସ୍ତର ୮୪୬.୦୭୦ ମିଟର ଥିଲା। ଗତବର୍ଷ ବର୍ଷାଯୋଗୁଁ ୧୨ ପ୍ରତିଶତ ଜଳସ୍ତର ବୃଦ୍ଧି ପାଇଥିଲା। ଚଳିତ ବର୍ଷ ୪.୮୯ ପତିଶତ ଜଳ ହ୍ରାସ ପାଇଛି। ତେବେ ଚଳିତବର୍ଷ ତେଲିଙ୍ଗିର ଜଳଭଣ୍ଡାରରେ ୬୨୨.୭୨ ମିଟର ଜଳସ୍ତର ଥିବାବେଳେ ଗତବର୍ଷ ଏହି ଡ୍ୟାମରେ ୬୧୪ମିଟର ଜଳ ଗଚ୍ଛିତ ଥିଲା। ତେବେ ୨୦୧୭ରୁ ଏହି ଡ୍ୟାମରେ ଜଳ ରଖାଯାଉଥିବାବେଳେ ଧୀରେ ଧୀରେ ଏହି ଜଳଭଣ୍ଡାରରେ ଜଳ ବୃଦ୍ଧି ପାଉଛି।  ସେହିପରି ଉପର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗତବର୍ଷ ଏହି ଦିନରେ ୬୩୦.୦୫ ମିଟର ଜଳ ଥିବାବେଳେ ଚଳିତବର୍ଷ ଏହା ୬୨୯.୩୪ମିଟର ରହିଛି।

ଯଦି ବର୍ଷାର ପରିମାଣକୁ ଦେଖାଯାଏ ୨୦୧୦ରେ କୋରାପୁଟରେ ମେ ମାସରେ ୮୨୮.୬୫ ମିମି ବର୍ଷା ରେକର୍ଡ କରାଯାଇଛି। ୨୦୧୧ ମେରେ ୭୨୪.୬ ମିମି, ୨୦୧୨ ମେରେ ୨୨୯.୭ ମିମି, ୨୦୧୩ରେ ୩୫୩ ମିମି, ୨୦୧୪ ମେରେ ୧୪୬୨.୩ ମିମି, ୨୦୧୫ରେ ୮୫୭ ମିମି, ୨୦୧୬ ମ‌େ’ରେ ୧୩୩୯.୧ମିମି, ୨୦୧୭ ମେରେ ୧୦୭୫ ମିମି, ୨୦୧୮ ମେ ମାସରେ ୧୦୬୫ ମିମି, ୨୦୧୯ରେ ୮୯୩.୩ ମିମି, ୨୦୨୦ ମେରେ ୧୨୬୪.୧ ମିମି, ୨୦୨୧ ମେରେ ୧୨୬୫.୧ ମିମି ଓ ୨୦୨୨ରେ ୪୭୮.୮ ମିମି ବର୍ଷା ରେକର୍ଡ ହୋଇଛି। ତେବେ ଜୁନର ମାସର ୧୧ ଦିନ ଅତିକ୍ରମ କରିସାରିଥିଲାବେଳେ ଜିଲ୍ଲାର ୧୪ ବ୍ଲକରେ ମାତ୍ର ୧୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଯଦି ଏହି ଧାରା ଜାରି ରହେ ତେବେ କୋରାପୁଟ ଜିଲ୍ଲାର ଚାଷୀ ଓ ୪ ସହରାଞ୍ଚଳ ପାଇଁ ଘୋର ପାନୀୟ ଜଳ ସଙ୍କଟ ଦେଖାଦେବ। ତେବେ ୨୦୦୮,୨୦୧୨ ଓ ୨୦୨୧ରେ ଯେଉଁ ଜଳ ସଂଙ୍କଟ ଥିଲା ତାହାଠୁ କିଛି ଶିକ୍ଷା ଗ୍ରହଣ କଲାନି କୋରାପୁଟ ଜିଲ୍ଲା ପ୍ରଶାସନ।

ଗତବର୍ଷ ଯେଉଁ ଜଳ ସଙ୍କଟ ଓ ହାହାକାର ଦେଖିବାକୁ ମିଳିଥିଲା ସେହି ସ୍ଥିତି ପୁଣି ଦେଖାଦେଇଛି। ଗତବର୍ଷ ଶେଷଆଡକୁ ବାତ୍ୟା ପ୍ରଭାବରେ ବର୍ଷା ହେବାରୁ କୋଲାବ ଜଳଭଣ୍ଡାର କିଛି ଅଂଶ ପୂର୍ଣ୍ଣ ହୋଇଥିଲା। ଏପ୍ରିଲ ଓ ମେ ମାସରେ ଯେପରି ଜଳ ରହିବା କଥା ସେପରି ଜଳ ନାହିଁ। ଗତ ତିନିବର୍ଷ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ବର୍ଷାଦିନେ ଯେପରି ଭାବେ ବର୍ଷା ହେବା କଥା ନ ହେବାରୁ କୋରାପୁଟ ଜିଲ୍ଲାରେ ବଡ ସମସ୍ୟା ଆଣି ଠିଆ କରିଛି। ଚଳିତବର୍ଷ ମୌସୁମୀ ସ୍ବାଭାବିକ ରହିବା ପାଣିପାଗ ଆକଳନ କରୁଥିବାବେଳେ ଖରିଫ ଋତୁ ବେଳକୁ ଜଳ ସମସ୍ୟା ଦେଖା ଦେବା ଆଶଙ୍କା ରହିଛି। ଯଦି ଏହାକୁ ଦୃଷ୍ଟି ଦିଆ ନ ଯାଏ ତେବେ ନାଲକୋ ଟାଉନସିପ୍‌, ହାଲ ଟାଉନସିପ୍‌, ସୁନାବେଢା ଓ କୋରାପୁଟ ପୌରପାଳିକାକୁ ପାନୀୟ ଜଳ ଯୋଗାଣ ହୋଇପାରିବ ନାହିଁ।

ଗତବର୍ଷ ଉପରକୋଲାବ ଜଳ ଭଣ୍ଡାରର ଉପମୁଣ୍ଡରେ ପଙ୍କୋଉଦ୍ଧାର କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାସହ ଜୟପୁର ପୌରାଞ୍ଚଳକୁ ଜଳ ଯୋଗାଣ କରାଯିବାକୁ  ସତିଗୁଡା ଡ୍ୟାମ୍‌ର ମଧ୍ୟ ପଙ୍କୋଉଦ୍ଧାର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ହେଲେ ବର୍ଷାଦିନ ଆସିବାରୁ ପ୍ରଶାସନ ଏହି କାର୍ଯ୍ୟ କରିପାରି ନ ଥିଲା। ଏବେ ଗତବର୍ଷ ପରି ପୁଣି ଜଳ ସଂଙ୍କଟ ଦେଖାଦେଇଛି। କିପରି ଏହାକୁ ପରିଚାଳନା କରାଯିବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ଏନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ କହିଛନ୍ତି ଯେ ଗତବର୍ଷ ପରି ଚଳିତବର୍ଷ ଯେପରି ଜଳ ସଙ୍କଟ ଦେଖା ନ ସେଥିପାଇଁ ଏହାକୁ ପରିଚାଳନା କରାଯାଉଛି। ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆସିବା ବିଳମ୍ବ ହେଉଥିବାରୁ ବର୍ଷା ହେଉ ନାହିଁ। ତେବେ ବର୍ଷା ଆରମ୍ଭ ହେଲେ ଜଳ ଭଣ୍ଡାରଗୁଡ଼ିକରେ ଜଳ ପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର