ତାତିରୁ ସାମାନ୍ୟ ଆଶ୍ବସ୍ତି

ଭୁବନେଶ୍ବର : ତାତିରୁ ମିଳିଲା ସାମାନ୍ୟ ଅଶ୍ବସ୍ତି। ପଶ୍ଚିମ ସମେତ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇଛି। ୭ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲେ ମଧ୍ୟ ସବୁଠି ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରି ତଳକୁ ଖସିଆସିଛି। ଅବଶ୍ୟ ଉପକୂଳ ଓଡ଼ିଶାରେ ତାପମାତ୍ରା ଟିକିଏ ବଢ଼ିଛି। ଭୁବନେଶ୍ବର ତାପମାତ୍ରା ପୁଣିଥରେ ୩୯ ଡିଗ୍ରି ଡେଇଁଛି।

ତେବେ ଆସନ୍ତା ୫ ଦିନ ତାତିରୁ ତ୍ରାହି ମିଳିବ। ଉପକୂଳ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରି କମିପାରେ। ଉପକୂଳ ଓଡ଼ିଶାରେ ବି ୧ରୁ୨ ଡିଗ୍ରି କମିବ। ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ଆଶଙ୍କା ରହିଛି। କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଖୋର୍ଧାରେ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ। ବର୍ଷା ହେବାକୁ ଥିବାରୁ ତାପମାତ୍ରା କମିବ ‌ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ପାଣିପାଗ ବିଶେଷଜ୍ଞ ସୁ‌ରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ଆସନ୍ତାକାଲି ବି ଉପକୂଳବର୍ତୀ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ଦୁଇ ଡିଗ୍ରି କମିବ। ଜୁନ୍‌ ୭ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ। ତେବେ ଜୁନ୍‌ ୨ରେ ସାମାନ୍ୟ ବଢ଼ିପାରେ। ଭୁବନେଶ୍ବରର ତାପମାତ୍ରା‌ ୩୮ରୁ ୩୯ ଡିଗ୍ରି ରହିପାରେ। ତେବେ ଗୁରୁବାର ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ଏକ ଡିଗ୍ରି ପର୍ଯ୍ୟନ୍ତ କମିବ। ତେବେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ଏକ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି। ଜୁନ୍‌ ୧ ଯାଏ ଅପରିବର୍ତ୍ତିତ ରହିବ। ଜୁନ୍‌ ୩ରୁ ପୁଣି ବଢ଼ିବ। ୭ ତାରିଖ ଯାଏ ଗରମ ଜାରି ରହିବ। କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରିରେ ପହଞ୍ଚିବ। ପ୍ରାକ୍‌ ମୌସୁମୀ ବର୍ଷା ବିଳମ୍ବ ହେଉଥିବାରୁ ଜୁନ୍‌ ୭ ପରେ ମଧ୍ୟ ଗରମ ଜାରି ରହିବ। ଜୁନ୍‌ ୬ରୁ ୮ ମଧ୍ୟରେ ଉପକୂଳରେ ପାଗ ଆଂଶିକ ମେଘୁଆ ରହିବ। ଅଳ୍ପ କେତେକ ସ୍ଥାନରେ ସ୍ବଳ୍ପ ବର୍ଷା ହୋଇପାରେ। ତେବେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଗୁରୁବାରଠାରୁ ଜୁନ୍‌ ପହିଲା ପର୍ଯ୍ୟନ୍ତ ରାଜ୍ୟରେ ବଙ୍ଗୋପସାଗରୀୟ ପବନ ଦକ୍ଷିଣ ଦିଗରୁ ପ୍ରବାହିତ ହେବ। କିନ୍ତୁ ୨ ତାରିଖଠାରୁ ପବନର ଦିଗ ପୁଣି ପରିବର୍ତ୍ତନ ହୋଇ ପଶ୍ଚିମା ପବନ ବେହିବ। ତେଣୁ ଗରମ ବଢ଼ିବ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବାଧିକ ୫୦ ମିମି ବର୍ଷା ହୋଇଛି। ଏହାବ୍ୟତୀତ ଦାରିଙ୍ଗବାଡ଼ିରେ ୪୯ ମିମି ହୋଇଥିବା ବେଳେ ତାଳଚେରରେ ୩୦, ସମ୍ବଲପୁରରେ ୨୨, କେନ୍ଦୁଝରରେ ୨୧.୧, ହୀରାକୁଦରେ ୧୧.୬, ଝାରସୁଗୁଡ଼ାରେ ୭.୩ ମିମି ବର୍ଷା ହୋଇଛି। ଟିଟିଲାଗଡ଼ ଓ ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୫ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ଝାରସୁଗୁଡ଼ା ଓ ଭବାନୀପାଟଣାରେ ୪୧ ଡିଗ୍ରି, ଅନୁଗୁଳ ଓ ତାଳଚେରରେ ୪୦.୧ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର