୩ ଜିଲ୍ଲାରେ ଭୂତଳ ପାଇପ ଯୋଗେ ଜଳସେଚନ ସୁବିଧା
କଳାହାଣ୍ଡି ସାନ୍ଦୁଲ ନଦୀ ଉପରେ ହେବ ବ୍ୟାରେଜ୍

Advertisment

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ଲୋ ଭୋଲ୍‌ଟେଜ୍ ସମସ୍ୟା ଗୁରୁତର ଆକାର ଧାରଣ କରୁଛି। ଏହାକୁ ନେଇ ବିଜୁଳି ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷକୁ ଦେଖାଦେଇଛି। ଏ ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଗଦା ହେଲାପରେ ସରକାରଙ୍କ ଚେତା ପଶିଛି। ରାଜ୍ୟର ଲୋ ଭୋଲ୍‌ଟେଜ୍ ଅଞ୍ଚଳରେ ବିଜୁଳି ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଓପିଟିସିଏଲ୍ ମାଧ୍ୟମରେ ପ୍ରାୟ ୨ ହଜାର କୋଟି ଟଙ୍କାରୁ ଅଧିକ ବିନିଯୋଗ କରି ବିଜୁଳି ଭିତ୍ତିଭୂମି ସଜାଡ଼ିବାକୁ ଯୋଜନା ହୋଇଛି। ଶୁକ୍ରବାର ଦିନ ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହା ସହ ମୋଟ୍ ୧୩ଟି ପ୍ରସ୍ତାବ ପାରିତ ହୋଇଛି।

ଓପିଟିସିଏଲ୍ ପକ୍ଷରୁ ଆଠମଲ୍ଲିକ, ଏମ୍ ରାମପୁର, ଚିତ୍ତାଳୋ, ଆଗଲପୁରରେ ୪ଟି ଗ୍ରିଡ୍ ସବ୍‌ଷ୍ଟେସନ୍ ଓ ତୁରୁମଙ୍ଗାଠାରୁ ଢେଙ୍କିକୋଟ ପର୍ଯ୍ୟନ୍ତ ୧୩୨ କୋଭି ଲାଇନ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୋଟ୍ ୨୫୯.୪୩ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି। ଏହାମଧ୍ୟରୁ ରାଜ୍ୟ ସରକାରଙ୍କ ଅଂଶଧନ ରହିଛି ୭୭.୮୩ କୋଟି ଟଙ୍କା(୩୦%)। ସେହିପରି ଲୋ-ଭୋଲ୍‌ଟେଜ୍ ଅଞ୍ଚଳରେ ଅତିରିକ୍ତ ୩୩/୧୧ କେଭି ସବ୍‌ଷ୍ଟେସନ୍ ଓ ସ୍ବତନ୍ତ୍ର ୩୩ କେଭି ଲାଇନ୍ ନିର୍ମାଣର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଓପିଟିସିଏଲ୍ ପକ୍ଷରୁ ୧୭୯୬.୭୩ କୋଟି ଟଙ୍କା ବ୍ୟୟ ଅଟକଳରେ ୯୯ଟି ୩୩/୧୧ ସବ୍‌ଷ୍ଟେସନ୍ ଓ ୮୧୨.୦୫ ଦୀର୍ଘ ୬୪ଟି ସ୍ବତନ୍ତ୍ର ୩୩ କେଭି ଲାଇନ୍ ନିର୍ମାଣ କରାଯିବ। ଆସନ୍ତା ୩ ବର୍ଷ ମଧ୍ୟରେ ଏହି ନିର୍ମାଣ ସରିବ। ଶକ୍ତି ବିଭାଗର ଏହି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ମୋହର ବାଜିଛି।

publive-image Depositphotos

ତିନିଟି ଜିଲ୍ଲାରେ ଭୂତଳ ପାଇପ୍ ଦ୍ବାରା ଜଳସେଚନ ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁ ମୋଦନ ଦେଇଛି। ରେଙ୍ଗାଲି ଦକ୍ଷିଣ ପାର୍ଶ୍ବ ଜଳସେଚନ ପ୍ରକଳ୍ପ ଅଧୀନରେ ଭୂତଳ ପାଇପ୍ ମାଧ୍ୟମରେ ଜଳସେଚନ ବ୍ୟବସ୍ଥା କରଯିବ। ଏହାଦ୍ବାରା ଢେଙ୍କାନାଳ ଓ କଟକ ଜିଲ୍ଲାର ୨୬,୩୩୪ ହେକ୍ଟର ସେଚାଞ୍ଚଳରେ ଉପରୁ ତଳ ମୁଣ୍ଡ ପର୍ଯ୍ୟନ୍ତ ସେଚଜଳକୁ ବଣ୍ଟନ କରାଯିବ। ଏହି ଜଳସେଚନ ପ୍ରଣାଳୀ ଦ୍ବାରା ଭୂମି ଅଧିଗ୍ରହଣ କାର୍ଯ୍ୟର ଆବଶ୍ୟକତା ରହିବ ନାହିଁ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ କମ୍ ହେବ। ୪୪୩.୨୨ କୋଟିର ବ୍ୟୟ ଅଟକଳରେ ହେବାକୁ ଥିବା ଏହି ପ୍ରକଳ୍ପ ୨୪ ମାସ ମଧ୍ୟରେ ଶେଷ ହେବ। ଏହି ପ୍ରକଳ୍ପର ଟେଣ୍ଡର୍‌କୁ ଆଜି କ୍ୟାବିନେଟ୍ ଅନୁମୋଦନ ମିଳିଛି। ସେହିପରି ବାଲେଶ୍ବର ଜିଲ୍ଲାର ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ସାଳନ୍ଦୀ ମୁଖ୍ୟ ବାମ ପାର୍ଶ୍ବ କେନାଲ୍‌ରେ ୯୮୦୩ ହେକ୍ଟର ଜମିକୁ ଭୂତଳ ପାଇପ୍ ଦ୍ବାରା ଜଳସେଚନ କରାଯିବ। ଏଥି ପାଇଁ ୨୫୭ କୋଟି ୪୬ ଲକ୍ଷ ଟଙ୍କାର ଟେଣ୍ଡର୍‌କୁ ଅନୁମୋଦନ ମିଳିଛି। ପ୍ରକଳ୍ପଟି ୧୮ ମାସରେ ଶେଷ ହେବ।

କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକ୍ର ଦୁତ୍ତା ଗ୍ରାମ ନିକଟରେ ସାନ୍ଦୁଲ ନଦୀ ଉପରେ ହେବାକୁ ଥିବା ବ୍ୟାରେଜ୍ ପାଇଁ ୧୨୬ କୋଟି ୪୬ ଲକ୍ଷ ଟଙ୍କାର ଟେଣ୍ଡର୍‌ କ୍ୟାବିନେଟ୍‌ରେ ପାରିତ ହୋଇଛି। ଏହି ପ୍ରକଳ୍ପ ଦ୍ବାରା କଳାହାଣ୍ଡି ଜିଲ୍ଲାର ମରୁଡ଼ି ପ୍ରବଣ ଅଞ୍ଚଳରେ ବିନା ବିସ୍ଥାପନରେ ୫ ହଜାର ହେକ୍ଟର ଜମିକୁ ଜଳସେଚନ କରାଯାଇପାରିବ। ୨୯ଟି ଗ୍ରାମର ଲୋକ ପାନୀୟ ଜଳ ଓ ଜଳସେଚନ ସୁବିଧା ପାଇବେ।

publive-image artofliving.org

ବହୁଭାଷୀ ଶିକ୍ଷା ସହାୟକଙ୍କ ପାଇଁ କ୍ୟାବିନେଟ୍ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆଦିବାସୀ ଅଧ୍ୟୁଷିତ ୧୭ଟି ଜିଲଲାରେ ବାସ କରୁଥିବା ଜନଜାତି ଛାତ୍ରଛାତ୍ରୀଙ୍କ ନିଜସ୍ବ ମାତୃଭାଷାରେ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ସମଗ୍ର ଶିକ୍ଷା ଅଧୀନରେ ୩୩୨୮ ଜଣ ବହୁଭାଷୀ ଶିକ୍ଷା ସହାୟକଙ୍କୁ ୨୦୧୩ ମସିହାରେ ନିଯୁକ୍ତି ଦିଆଯାଇଥିଲା। ଯେଉଁ ବହୁଭାଷୀ ଶିକ୍ଷା ସହାୟକମାନେ ୩ ବର୍ଷ ନିରବଚ୍ଛିନ୍ନ ତଥା ସନ୍ତୋଷଜନକ ଭାବେ ସେବା ପ୍ରଦାନ କରିଥିବେ, ସେମାନେ କନିଷ୍ଠ ଶିକ୍ଷକ ଭାବେ ପରିଗଣିତ ହେବେ। ଯେଉଁ ଯୋଗ୍ୟ କନିଷ୍ଠ ଶିକ୍ଷକମାନେ ୩ ବର୍ଷ ସେବା ପ୍ରଦାନ କରିଥିବେ ସେମାନେ ସହାୟକ ଶିକ୍ଷକ ହେବେ। ଏହି ଶିକ୍ଷକମାନଙ୍କ ଚାକିରି ନିୟମିତ ହେବା ପରେ ସେମାନେ ଓଡ଼ିଶା ଏଲିମେଣ୍ଟାରି ଏଜୁକେସନ୍ ରୁଲ୍ସ୍, ୧୯୯୭ ଅଧୀନରେ ପରିଚାଳିତ ହେବେ।

ଏସ୍‌ସିବି ମେଡିକାଲ କଲେଜର ସମ୍ପ୍ରସାରଣ ପ୍ରକଳ୍ପର ଅଂଶ ଭାବେ କର୍ମଚାରୀ ଆବାସିକ ଗୃହ ଓ ଛାତ୍ରାବାସ ନିର୍ମାଣ ପାଇଁ ହୋଇଥିବା ଟେଣ୍ଡର୍‌ରେ ଏନ୍‌ସିସି ଲିମିଟେଡ୍ ଯୋଗ୍ୟ ବିବେଚିତ ହୋଇଛି। ୮୮୮ କୋଟି ୫୦ ଲକ୍ଷ ଟଙ୍କାରେ ଏହି ସଂସ୍ଥାକୁ କାର୍ଯ୍ୟାଦେଶ ଦେବା ପାଇଁ କ୍ୟାବିନେଟ୍ ସ୍ବୀକୃତି ଦେଇଛି। ୨୪ ମାସରେ ଏହି ପ୍ରକଳ୍ପ ଶେଷ ହେବ। ଇଣ୍ଡିଆନ୍ ଅଏଲ୍‌ର ପାରାଦୀପ ତୈଳ ବିଶୋଧନାଗାର ପାଇଁ ବିଦ୍ୟୁତ ଶୁଳ୍କ ଛାଡ଼ ପ୍ରସ୍ତାବ କ୍ୟାବିନେଟ୍ ଅନୁମୋଦନ ପାଇଛି। ଆଇଓସିଏଲ୍ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ୨୦୦୪ ମସିହାରେ ଏ ନେଇ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା।
ଓଡ଼ିଶା ବୈଦ୍ୟୁତିକ ଯାନ୍ତ୍ରିକ ସେବା ବର୍ଗର ପୁନର୍ଗଠନ, ଓଡ଼ିଶା ପ୍ରାଣୀ ଚିକିତ୍ସା(ନିଯୁକ୍ତି ଓ ସେବା) ନିୟମାବଳୀ-୨୦୦୧, ଓଡ଼ିଶା ସୁପରିଅର୍ ଜୁଡିସିଆଲ୍ ସର୍ଭିସ୍ଏ ବଂ ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍ ନିୟମ, ୨୦୦୭କୁ ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି।