ବଲାଙ୍ଗୀର: କିଛି ଦିନର ଘଟଣାବୃତ୍ତ ଦେଖିଲେ ବଲାଙ୍ଗୀର ଜିଲ୍ଲାର ଜୀବନଧାରା କୁହାଯାଉଥିବା ଲୋୟର୍ ସୁକ୍ତେଲ୍ ପ୍ରକଳ୍ପ ଦିଗହରା ହେଉଥିବା ଲକ୍ଷ୍ୟ କରାଯାଉଛି। ପ୍ରକଳ୍ପ ସ୍ଥାନରୁ ଅନତି ଦୂର ମାଗୁରବେଡ଼ାଠାରେ ଖଣି ଖନନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜନଶୁଣାଣି ଲାଗି ପ୍ରଶାସନ ଚିଠି ମଧ୍ୟ କରିସାରିଛି। ଲୋୟର୍ ସୁକ୍ତେଲ୍ର ମୂଳଲକ୍ଷ୍ୟ ଜଳସେଚନ ଓ ପିଇବାପାଣି ଯୋଗାଣ ଥିଲା। ପୂର୍ବରୁ ଏହି ପ୍ରକଳ୍ପ ଦ୍ବାରା ୨୦୨୪ ଖରିଫରେ ଆଂଶିକ ଓ ୨୦୨୫ ଖରିଫରେ ସମ୍ପୂର୍ଣ୍ଣ ଜଳସେଚନ ସୁବିଧା ଉପଲବ୍ଧ ହେବ ବୋଲି ଘୋଷଣା ହୋଇଥିଲା। ପ୍ରକଳ୍ପକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା ସହ ନିର୍ଦ୍ଧାରିତ ୧ ଲକ୍ଷ ଏକର ଚାଷଜମିକୁ ପାଣି ଓ ୭୦ ହଜାର ଲୋକଙ୍କୁ ପାନୀୟଜଳ ଯୋଗାଇବାକୁ ଲକ୍ଷ୍ୟଧାର୍ଯ୍ୟ ରହିଥିଲା। କିନ୍ତୁ ବର୍ତ୍ତମାନ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ଆଶଙ୍କା ଦେଖାଦେଇଛି।
ଲୋୟର୍ ସୁକ୍ତେଲ୍ ଜଳଭଣ୍ଡାରର କ୍ଷମତା ୩୨ ହଜାର ହେକ୍ଟୋମିଟର୍ ଥିବାବେଳେ ଏଥିରେ ସର୍ବୋଚ୍ଚ ୨୧୦ ମିଟର୍ ପାଣି ରହିବା କ୍ଷମତା ରହିଛି। କିନ୍ତୁ ନଦୀବନ୍ଧର ପ୍ରୋଟୋକଲ୍ ଅନୁସାରେ ୩ବର୍ଷ ପରେ ଅର୍ଥାତ ୨୦୨୬-୨୭ ମସିହାରେ ହିଁ ଜଳଭଣ୍ଡାର ପୂର୍ଣ୍ଣଗର୍ଭା ହୋଇପାରିବ। ପ୍ରଥମ ତିନିବର୍ଷ ପ୍ରୋଟୋକଲ୍ ଅନୁସରଣ କରି ଜଳ ଗଚ୍ଛିତ ଓ ୧୨ଟି ଗେଟ୍ରେ ନିଷ୍କାସନ କରାଯିବ ବୋଲି ସ୍ଥିର ହୋଇଥିଲା। ଏହି ଆଧାରରେ ପ୍ରଥମ ବର୍ଷ ଏକତୃତୀୟାଂଶ ଗଭୀର ପାଣି ରଖାଗଲା। ହେଲେ ଚଳିତ ବର୍ଷ ପୂରା ଜଳଭଣ୍ଡାର ଶୁଖିଲା। ଦୁଇ ତୃତୀୟାଂଶ ପାଣି ରହିବା ବଦଳରେ ଜଳଭଣ୍ଡାର ଟାଙ୍ଗରା ପଡ଼ିଛି। ପୂର୍ବ ଯୋଜନା ଅନୁସାରେ ମୁଖ୍ୟ ଜଳଭଣ୍ଡାରରୁ ବଲାଙ୍ଗୀର ସହରକୁ ୭୦ ହଜାର ଲୋକଙ୍କ ପିଇବାପାଣି ପାଇଁ ବ୍ୟବସ୍ଥା ରହିଥିଲା। ମୂଳ ଯୋଜନାକୁ ସଦ୍ୟ ଭାବେ ପରିବର୍ତ୍ତନ କରାଯାଇ ଛତାମଖନାଠାରେ ନିର୍ମିତ ବ୍ୟାରେଜ୍ରୁ ବଲାଙ୍ଗୀର ସହରକୁ ଜଳଯୋଗାଣ କରିବାକୁ ନିର୍ମାଣ କାମ ଚାଲିଛି। ଡିପ୍ଲିସନ୍ ସ୍ଲୁଇସ୍ ଗେଟ୍ କାମ ଚାଲୁଥିବାରୁ ଜଳଭଣ୍ଡାରର ସବୁ ପାଣି ଛାଡ଼ି ଦିଆଯାଇଛି। ଫଳରେ ଜଳଭଣ୍ଡାରରେ କେବଳ କାଦୁଅ ଜମା ହୋଇରହିଛି। ତେବେ ପ୍ରୋଟୋକଲ୍ରେ ବିଚ୍ୟୁତି ହୋଇଥିଲେ ହେଁ ଠିକଣା ସମୟରେ ଜଳଭଣ୍ଡାରରେ ପାଣି ପୂର୍ଣ୍ଣ ରହିବ ବୋଲି କହିଛନ୍ତି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇ। ସେପଟେ ବଲାଙ୍ଗୀରବାସୀଙ୍କୁ ମୁଖ୍ୟ ଜଳଭଣ୍ଡାରରୁ ପାଣି ଯୋଗାଣ ନହେବା ପଛରେ ଖଣି ପାଇଁ ପାଣି ଉପଲବ୍ଧ କରାଇବା ଯୋଜନା ରହିଛି ବୋଲି ବିସ୍ଥାପିତମାନେ ଅଭିଯୋଗ କରିଛନ୍ତି। ଯଦି ଜଳାଭାବ ଯୋଗୁଁ ମୁଖ୍ୟ ଜଳଭଣ୍ଡାରରେ ପାଣି ରହିବ ନାହିଁ ତେବେ ଛତାମଖନା ବ୍ୟାରେଜ୍ରେ କିଭଳି ବର୍ଷତମାମ ପାଣି ରହିବ ବୋଲି ପ୍ରଶ୍ନ ଉଠୁଛି।