ବଲାଙ୍ଗୀର: ‘ଆଜ୍ଞା ମୁଁ ବିସ୍ଥାପିତ ହାଡୁ ପ୍ରଧାନ କହୁଛି। ମୋର ଗାଁ ଖୁଣ୍ଟପାଲି। ଗାଁରେ ଘର କରି ରହିଛି। ମୁଁ ବଂଚିଛି ଆଜ୍ଞା। କିନ୍ତୁ ସରକାରୀ ସର୍ଭେରେ ମୋତେ ମାରି ଦିଆଯାଇଛି। ସର୍ଭେ ତାଲିକାରେ ମୋର ନାଁ ସ୍ୱର୍ଗତ ହାଡୁ ପ୍ରଧାନ। ଆଉ ମୋ ପତ୍ନୀ ସଧବା ଥାଇ ବି ବିଧବା। ତାଲିକାରେ ୧୩୨ ନମ୍ବରରେ ଏଭଳି ଉଲ୍ଲେଖ ଅଛି। ବାର ବାର ଲୋୟର ସୁକତେଲ କାର୍ଯ୍ୟାଳୟରୁ ନେଇ ଜିଲ୍ଲାପାଳଙ୍କୁ ଭେଟିଥିଲେ ବି ମୁଁ ଥଇଥାନ ଟଙ୍କା ଏଯାଏ ପାଇନି।’

Advertisment

ବଲାଙ୍ଗୀର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପନ ପ୍ରକ୍ରିୟା ଜାରି ରହିଛି। ଗୋଟିଏ ପରେ ଗୋଟିଏ ଗାଁର ଲୋକଙ୍କୁ ବିସ୍ଥାପନ କରାଯାଉଛି। ସର୍ଭେ ଅନୁସାରେ କ୍ଷତିପୂରଣ ଓ ଥଇଥାନ ଟଙ୍କା ବଣ୍ଟନ ଚାଲିଛି। କିନ୍ତୁ ଖୁଣ୍ଟପାଲି ଗାଁରେ ଅଜବ ଘଟଣା ସାମ୍ନାକୁ ଆସିଛି। ସରକାରୀ ଅଧିକାରୀମାନେ ସର୍ଭେ ସମୟରେ ଭୁଲଭଟକା କରିବା କାରଣରୁ ଏବେ ଖୁଣ୍ଟପାଲି ଗାଁର ହାଡୁ ପ୍ରଧାନ ହନ୍ତସନ୍ତ ହେଉଛନ୍ତି। ସର୍ଭେ ତାଲିକାରେ ହାଡୁ ପ୍ରଧାନଙ୍କୁ ମୃତ ଦର୍ଶାଯାଇଛି। ଯେଉଁଥି ପାଇଁ ସେ ଥଇଥାନ ଟଙ୍କା ଏଯାଏଁ ପାଇ ନାହାନ୍ତି।

publive-image

ବହୁବାର ଲୋୟର ସୁକତେଲ କାର୍ଯ୍ୟାଳୟର ପକଳ୍ପ ନିର୍ଦ୍ଦେଶକ, ଜୋନ୍‌ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କଲେଣି। ଏପରିକି ଜିଲ୍ଲାପାଳଙ୍କୁ ବି ସେ ତାଙ୍କ ଅଭିଯୋଗ ଜଣାଇଛନ୍ତି। ତାଲିକାରେ ତାଙ୍କ ନାଁ ଯୋଡ଼ାଯାଉ। କିନ୍ତୁ ସମସ୍ତଙ୍କ ଉତ୍ତର- ବୁଝିବା କଣ ହୋଇଛି। ଏମିତିରେ ବହୁ ଦିନ ବିତିଗଲାଣି। ଏବେ ଲୋକ ଟଙ୍କା ପାଇ ଗାଁ ଛାଡୁଥିବା ବେଳେ ସେ ଟଙ୍କା ପାଉନଥିବା ଅଭିଯୋଗ କରିଛନ୍ତି। ଏ ନେଇ ଆମେ ଲୋୟର ସୁକତେଲ ପ୍ରକଳ୍ପ ନିର୍ଦ୍ଦେଶକ (ଆର୍‌ଆର୍‌)ଙ୍କୁ ଯୋଗାଯୋଗ କରିବାରୁ ସେ ଅଭିଯୋଗ ଆମେ ପାଇଥିଲୁ, ତାଙ୍କ ପରିବାର ବାବଦକୁ ପାଇବାକୁ ଥିବା ଟଙ୍କା ଖୁବ୍‌ ଶୀଘ୍ର ଦିଆଯିବ ବୋଲି ସେ କହିଛନ୍ତି। ପୂର୍ବରୁ ସର୍ଭେ ସମୟରେ ଭୁଲ୍‌ ରହିଯାଇଥିବ ବୋଲି ସେ କହିଛନ୍ତି। ତେବେ ସର୍ଭେ ସମୟରେ ଅନିୟମିତତା କାରଣରୁ ଅନେକ ତ୍ରୁଟି ରହିଛି। ସେସବୁର ସମାଧାନ କରାଯାଉ ବୋଲି ବିସ୍ଥାପିତମାନେ ଦାବି କରୁଛନ୍ତି।