ବଲାଙ୍ଗୀର: ବଲାଙ୍ଗୀରର ଜୀବନରେଖା ଲୋୟର୍ ସୁକ୍ତେଲ୍ ପ୍ରକଳ୍ପରେ ବାରମ୍ବାର ଦୁର୍ନୀତିର ଛିଟା ବାଜୁଛି। ବିସ୍ଥାପିତଙ୍କୁ ଚିହ୍ନଟ ଓ କ୍ଷତିପୂରଣ ଦେବାରେ ଦୁର୍ନୀତି ଅଭିଯୋଗର ତାଲିକା ବହୁତ ଲମ୍ବା। ଗତବର୍ଷ ଜୁଲାଇରେ ପୂର୍ବତନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ପ୍ରକଳ୍ପ ନିର୍ମାଣ ଏବଂ କ୍ଷତିପୂରଣ ବାବଦକୁ ବଡ଼ଧରଣର ଦୁର୍ନୀତି ହୋଇଥିବା ସ୍ପଷ୍ଟ ହୋଇଥିଲା। ଭିଜିଲାନ୍ସ ଟିମ୍ ଶ୍ରୀ ରାଉତଙ୍କ କୋଟି କୋଟି ଆୟ ବହିର୍ଭୂତ ଟଙ୍କା ଠାବ କରିଥିଲା। ଏବେ ଉକ୍ତ ପ୍ରକଳ୍ପରେ ଏକଦା ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଭାବେ କାମ କରିଥିବା ବିନୟ ଗଡ଼ନାୟକ ଭିଜିଲାନ୍ସ ଦ୍ବାରା ଗିରଫ ହେବା ଦୁର୍ନୀତିର ଆଉ ଏକ ବଡ଼ ପ୍ରମାଣ। ଶ୍ରୀ ରାଉତ ପାଖାପାଖି ୭ କୋଟି ଟଙ୍କା କ୍ଷତିପୂରଣ ଓ ଗାଡ଼ିଭଡ଼ା ଖର୍ଚ୍ଚ ବାବଦରେ ହେରଫେର କରିଥିବାର ପ୍ରମାଣ ପାଇବା ପରେ ଭିଜିଲାନ୍ସ ତାଙ୍କ ବିରୋଧରେ ୨୦୦୮ ମସିହାରୁ ୧୨ଟି ମାମଲା ରୁଜୁ କରିଥିଲା। ଏବେ ପ୍ରଶ୍ନ ଉଠୁଛି, ଏହି ପ୍ରକଳ୍ପ ବାବଦକୁ ଖର୍ଚ୍ଚ ହୋଇଥିବା ୨୭୨୩ କୋଟି ଟଙ୍କାରୁ କିଏ କେତେ ଚଳୁ କରିଛନ୍ତି? କିଛି ଦିନ ପୂର୍ବରୁ ବାରପୁଡ଼ୁଗିଆ ଗ୍ରାମବାସୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଅଫିସରେ ପହଞ୍ଚି ସବୁ କର୍ମଚାରୀଙ୍କୁ ତାଲା ଠୁଙ୍କିଥିଲେ। ୧୯୮୮ ମସିହାରେ ସେମାନଙ୍କୁ ବାରପୁଡ଼ୁଗିଆ ରାସ୍ତା କଡ଼େ ୪ ଡିସିମିଲ୍ ଲେଖାଏଁ ଜାଗା ଦିଆଯାଇଥିଲା। ୨୦୦୬ରେ ଲୋୟର୍ ସୁକତେଲ୍ ପ୍ରକଳ୍ପ ସର୍ଭେ ବେଳେ କ୍ଷତିପୂରଣ ତାଲିକାରେ ସେମାନଙ୍କ ନାମ ନଥିଲା। ୭୨ଟି ପରିବାର ମଧ୍ୟରୁ ଯେଉଁମାନଙ୍କୁ କ୍ଷତିପୂରଣ ମିଳିଛି, ସେମାନେ ବୁଡ଼ି ଅଞ୍ଚଳରେ ନାହାନ୍ତି।
ଅଧିକାରୀମାନଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ଦେଇ କ୍ଷତିପୂରଣ ମିଳିଛି। ସର୍ଭେ ସମୟରେ ଉପସ୍ଥିତ ନ ଥିବା ଲୋକଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି ବୋଲି ଗ୍ରାମବାସୀ ଗୁରୁତର ଅଭିଯୋଗ କରିଥିଲେ। ଲୋୟର୍ ସୁକତେଲ୍ ପ୍ରକଳ୍ପରେ ବଲାଙ୍ଗୀର ସଦର ବ୍ଲକ୍ର ୧୭ଟି ଗ୍ରାମରୁ ୩୫୩୫ ଜଣ ଏବଂ ଲୋଇସିଂହା ବ୍ଲକ୍ର ୧୧ଟି ଗ୍ରାମରୁ ୩୧୮୪ ଜଣ ବିସ୍ଥାପିତ ହୋଇଛନ୍ତି। ସର୍ବମୋଟ ୨୯ ଖଣ୍ଡ ଗ୍ରାମର ମୋଟ ୫୩୩୯ ରୟତି ଖାତାଦାରଙ୍କ ୯୮୫୦.୫୬ ଏକର ଜମି ଅଧିଗ୍ରହଣ କରାଯାଇଛି। ବର୍ତ୍ତମାନ ଯାଏଁ ୨୪୦ଟି ବିସ୍ଥାପିତ ପରିବାର ଥଇଥାନ ସହାୟତା ରାଶି ଗ୍ରହଣ କରିନାହାନ୍ତି। ୧୩ଟି ଭୂମିହୀନ ପରିବାର, ଭୂମିହରା ପ୍ରଜାଙ୍କ ମଧ୍ୟରୁ ୧୧୨୪ ଖାତାଦାର ମଧ୍ୟ ତାଙ୍କ କ୍ଷତିପୂରଣ ରାଶି ଗ୍ରହଣ କରିନାହାନ୍ତି। ପ୍ରାୟ ସମସ୍ତଙ୍କ ଅଭିଯୋଗ ହେଲା, ଯିଏ ହାତଗୁଞ୍ଜା ଦେଇଛି, ସେ ଭଲ କ୍ଷତିପୂରଣ ରାଶି ପାଇଛି। ଠିକ୍ ମୂଲ୍ୟାୟନ ହେଉନଥିବାରୁ କ୍ଷତିପୂରଣ ରାଶି ନେବାକୁ ବହୁ ବିସ୍ଥାପିତ ମନା କରି ଦେଉଛନ୍ତି। କିନ୍ତୁ ବିଧିବଦ୍ଧ ତଦନ୍ତ ହେଉ ନ ଥିବାରୁ ଦୁର୍ନୀତିର ଅସଲ ଚିତ୍ର ସାମନାକୁ ଆସିପାରୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/23/FjIeusIfZS3HrXReiZ5K.jpg)