ବଲାଙ୍ଗୀର: ରାଜ୍ୟ ସରକାର ଖାମଖିଆଲି ଭାବେ ୨୦୨୩ ସୁଦ୍ଧା ଜମିକୁ ପାଣି ମାଡ଼ିବ ବୋଲି ଘୋଷଣା କରୁଛନ୍ତି। ସରକାର ଏ ଭାଷଣବାଜି ବନ୍ଦ କରନ୍ତୁ। ବିସ୍ଥାପିତ ଲୋକଙ୍କୁ ଥଇଥାନ କେମିତି ଠିକରେ କରାଯିବ ସେ ଦିଗରେ ଉଦ୍ୟମ କରନ୍ତୁ ବୋଲି ବୁଧବାର ଲୋୟର ସୁକତେଲ ପ୍ରକଳ୍ପର ବିସ୍ଥାପିତମାନଙ୍କ ଅସନ୍ତୋଷ ଓ ଅଭିଯୋଗ ଶୁଣିବା ପରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇଛନ୍ତି।
ଆଜି ବିଧାୟକ ଶ୍ରୀ ମିଶ୍ର ବିସ୍ଥାପନ ହେବାକୁ ଥିବା ଗଡ଼ଶଙ୍କର ଡୁଙ୍ଗୁରିପାଲି ଗସ୍ତ କରିଥିଲେ। ସେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ତଥା ଉପଜିଲ୍ଲାପାଳ କୁମାର ନାଗଭୂଷଣ, ଏସ୍ଡିପିଓ ତୋଫାନ ବାଗଙ୍କ ଉପସ୍ଥିତିରେ ବିସ୍ଥାପିତମାନଙ୍କ ଅଭିଯୋଗ ଶୁଣିଥିଲେ।
ବିସ୍ଥାପିତମାନେ ସର୍ଭେ ଠିକ୍ ଭାବେ ହୋଇନଥିବା କହିବା ସହ ନିଜ ନିଜ ସମସ୍ୟା ସବୁ ବଖାଣିଥିଲେ। ଆଗାମୀ ବର୍ଷାରେ ପାଣି ରହିଲେ କେମିତି ଗାଁ’ ଛାଡ଼ିବେ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଏଯାଏ ସେମାନଙ୍କୁ ସଂପୂର୍ଣ୍ଣ ଥଇଥାନ କରାଯାଇନଥିବା ବେଳେ ଏତେ କମ୍ ସମୟରେ ଭିତରେ ପ୍ରଶାସନ ଗାଁ’ ଛାଡ଼ିବାକୁ କହୁଛି। ଏହା କେମିତି ସମ୍ଭବ ବୋଲି ବିସ୍ଥାପିତମାନେ ପ୍ରଶ୍ନ କରିଥିଲେ। ଅଭିଯୋଗ ଶୁଣାଣି ସମୟରେ ଅନେକ ମହିଳା, ଝିଅ ତଥା ବୃଦ୍ଧମାନେ ତାଙ୍କ ଅଭିଯୋଗ ଲିଖିତ ଭାବେ ବିଧାୟକଙ୍କୁ ପ୍ରଦାନ କରିଥିଲେ। ଏହି ସମୟରେ ଦେଖାଯାଇଥିଲା ୧୮ ବୟସ ପୂରି ଯାଇଥିବା ପୁଅ ଝିଅ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ଅନେକ ପରିବାରର ଜମିରେ ଥିବା ଗଛଗୁଡ଼ିକର କ୍ଷତିପୂରଣ ଆଜି ବି ଲୋକେ ପାଇନାହାନ୍ତି। ତେଣୁ ଶ୍ରୀ ମିଶ୍ର ଶୀଘ୍ର ସବୁର ସମାଧାନ କରିବା ପାଇଁ ଅଧିକାରୀମାନଙ୍କୁ କହିଥିଲେ। ଯେହେତୁ ସରକାର କହୁଛନ୍ତି ଆଗାମୀ ବର୍ଷା ଋତୁରେ ପ୍ରକଳ୍ପରେ ପାଣି ରଖାଯିବ, ତେଣୁ ତା’ ପୂର୍ବରୁ ସମସ୍ତ ଅଭିଯୋଗର ଠିକ୍ ଭାବେ ସମାଧାନ ନିହାତି ଦରକାର ବୋଲି ଲୋକେ ମଧ୍ୟ ଦାବି କରିଥିଲେ।
‘କୌଣସି ଅଞ୍ଚଳରୁ ଲୋକେ ବିସ୍ଥାପିତ ହେବା ବେଳେ ସେମାନଙ୍କ ସମ୍ମୁଖରେ ଅନେକ ସମସ୍ୟା ଥାଏ। ପ୍ରଶାସନ ସେ ସବୁକୁ ନରମ ଚକ୍ଷୁରେ ଦେଖିବା ଦରକାର। ଗଡ଼ଶଙ୍କର ଡୁଙ୍ଗୁରିପାଲିର ବିସ୍ଥାପିତ ପରିବାରଙ୍କ ସହ ଆଲୋଚନା ପରେ ଜାଣିଲି ଯେ ସେମାନଙ୍କ ପୁର୍ନବାସ ପାଇଁ ଯାହା କିଛି ଦରକାର ସେ ସବୁରେ ନିଶ୍ଚିତ ଭାବେ ତ୍ରୁଟି ରହିଯାଇଛି। ଲୋକଙ୍କ ସମସ୍ୟା ଶୁଣିବା ସହ ତାଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଛି। କିଛି ଦିନ ଭିତରେ ଜିଲ୍ଲା ପ୍ରଶାସନ ସହ ଏ ସଂପର୍କରେ ଆଲୋଚନା ହେବ। ଆଇନ ସମ୍ମତ ଦାବି ନିଶ୍ଚିତ ଭାବେ ପୂରଣ କରାଯିବ’ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି। ସେ ନିଶ୍ଚିତ ଭାବରେ ଚେଷ୍ଟା କରିବେ ଏବଂ ଏ ଅଞ୍ଚଳରୁ ସୁକତେଲ ପ୍ରକଳ୍ପ ପାଇଁ ଲୋକମାନେ ଯେପରି ଖୁସି ମନରେ ବିସ୍ଥାପିତ ହେବେ ସେ ଉପରେ ସେ ନିଶ୍ଚିତ ଭାବେ ଉଦ୍ୟମ କରିବେ ବୋଲି କହିଥିଲେ। ବିସ୍ଥାପିତମାନେ ବିସ୍ଥାପନ ପରେ ନୂତନ ଜାଗାରେ ଯେପରି ଶିକ୍ଷା, ପିଇବା ପାଣି ଏବଂ ବିଜୁଳି ଠିକ୍ ଭାବେ ପାଇବେ ତାହା ସୁନିଶ୍ଚିତ କରନ୍ତୁ ବୋଲି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ବିଧାୟକ ଶ୍ରୀ ମିଶ୍ର ପରଧିଆପାଲି ଗାଁ’କୁ ଯାଇ ସେଠାରୁ ଗାଁ ଛାଡ଼ି ନଥିବା କିଛି ପରିବାରଙ୍କ ଅଭିଯୋଗ ଶୁଣିଥିଲେ। ବିଶେଷ କରି ଜ୍ଞାନ ଗଡ଼ତ୍ୟା ପରିବାର ଏବଂ ବିଶ୍ୱାଳ ପରିବାରର ବିଭିନ୍ନ ଅଭିଯୋଗ ଶୁଣିଲା ପରେ ସେମାନଙ୍କର ଅଭିଯୋଗ ଆଗାମୀ ବୈଠକରେ କିଭଳି ସମାଧାନ ହୋଇ ପାରିବ ସେ ଦିଗରେ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଧ୍ୟାନ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ।